ଧର୍ମାନ୍ତରୀକରଣ ନେଇ ଇଡି ଚଢ଼ଉ

ନୂଆଦିଲ୍ଲୀ : ବଳପୂର୍ବକ ଧର୍ମାନ୍ତରୀକରଣ ମାମଲାରେ ଉତ୍ତରପ୍ରଦେଶ ଏଟିଏସ ୬ ଜଣଙ୍କୁ ଗିରଫ କରିବାପରେ ଇଡି (ପ୍ରବର୍ତ୍ତନ ନିଦେ୍ର୍ଧଶାଳୟ) ଏନେଇ ଏକ ମନି ଲଣ୍ଡ୍ରିଂ ମାମଲା ରୁଜୁ କରିଛି । ଇଡି ଏହି ମାମଲାରେ ତଦନ୍ତ ଆରମ୍ଭ କରିଛି ଏବଂ ଦିଲ୍ଲୀ , ଉତ୍ତରପ୍ରଦେଶର ୬ ଟି ସ୍ଥାନରେ ଶନିବାର ଚଢ଼ାଉ କରିଛି । ମାମଲାରେ ମୁଖ୍ୟ ଅଭିଯୁକ୍ତ ମହମ୍ମଦ ଉମର ଗୌତମ ଏବଂ ତା’ର ସହଯୋଗୀ ମୁଫତି କାଜି ଜାହାଙ୍ଗିର କାସମି ବାସଭବନ ସମେତ ଆଇଡିସି (ଇସଲାମିକ ଦୱା ସେଣ୍ଟର)ରେ ଶନିବାର ଇଡି ଚଢ଼ଉ କରିଛି । ଏହି ସମସ୍ତ ସ୍ଥାନ ଦିଲ୍ଲୀର ଜାମିଆ ନଗର ଅଞ୍ଚଳରେ । ଅନ୍ୟପକ୍ଷେ ଉତ୍ତରପ୍ରଦେଶର ଲକ୍ଷ୍ନୌ ସ୍ଥିତ ଅଲ ହସନ ଏଜୁକେସନ ଆଣ୍ଡ ୱେଲଫେୟାର ଫାଉଣ୍ଡେସନ, ଗାଇଡାନ୍ସ ଏଜୁକେସନ ଆଣ୍ଡ ୱେଲଫେୟାର ସୋସାଇଟି ଅଫିସରେ ଚଢ଼ଉ ହୋଇଛି । ଉମର ଗୌତମ ଦ୍ୱାରା ଏହି ଅନୁଷ୍ଠାନଗୁଡ଼ିକ ପରିଚାଳିତ । ଇଡି ସୂତ୍ରରୁ ଜଣାପଡ଼ିଛି ଏହି ଅନୁଷ୍ଠାନଗୁଡ଼ିକ ବେଆଇନ ଧର୍ମାନ୍ତରୀକରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି ଏବଂ ବିଦେଶରୁ ବହୁ କୋଟି ଟଙ୍କା ହାସଲ କରିଛନ୍ତି । ଚଢ଼ଉ ସମୟରେ ଇଡିକୁ ଅନେକ ଗୁରତ୍ୱପୂର୍ଣ୍ଣ ଦସ୍ତାବିଜ ହସ୍ତଗତ ହୋଇଛି । ଏହାଦ୍ୱାରା ଅଭିଯୁକ୍ତ ଉମର ଗୌତମ ଦ୍ୱାରା ଦେଶବ୍ୟାପୀ ଚାଲିଥିବା ଧର୍ମାନ୍ତରୀକରଣ ଘଟଣାର ପର୍ଦ୍ଧାଫାସ ହୋଇଛି । ଅଭିଯୁକ୍ତ ଅନୁଷ୍ଠାନ ଗୁଡ଼ିକ ବେଆଇନ ଧର୍ମାନ୍ତରୀକରଣ ଉଦେ୍ଧଶ୍ୟରେ ବିପୁଳ ବିଦେଶ ପାଣ୍ଠି ଗ୍ରହଣ କରିଛନ୍ତି । ଉଲ୍ଲେଖଯୋଗ୍ୟ, ଗତ ଜୁନ ୨୧ରେ ୟୁପି ଏଟିଏସ ମୁଫତି କାଜି ଜାହାଙ୍ଗିର ଅଲମ କାସମି ଏବଂ ମହମ୍ମଦ ଉମର ଗୌତମଙ୍କୁ ଦିଲ୍ଲୀରୁ ଗିରଫ କରିଥିଲା । ପରେ ଅନ୍ୟ ୩ ଜଣଙ୍କୁ ଗିରଫ କରାଯାଇଥିଲା ।
Powered by Froala Editor