ଅଭୟାରଣ୍ୟରେ ଲଢ଼େଇ, ମାଫିଆ-ବନବିଭାଗ ଟିମ୍ ଖଣ୍ଡଯୁଦ୍ଧ
କେନ୍ଦ୍ରାପଡା ଜିଲ୍ଲା ରାଜନଗର ବନଖଣ୍ଡ ଅଧୀନ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଟ୍ରଲର ମାଫିଆ ଓ ବନବିଭାଗ ମଧ୍ୟରେ ଘମାଘୋଟ ଆତଙ୍କରାଜ ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ, ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ନିଷିଦ୍ଧାଞ୍ଚଳରେ ମାଫିଆମାନେ ମାଛ ଧରୁଛନ୍ତି । ରବିବାର ବାବୁବାଲିଠାରୁ ୫ କିଲୋମିଟର ଦୂର ନିଷିଦ୍ଧାଞ୍ଚଳରେ ମାଫିଆ ଟ୍ରଲର ସାହାଯ୍ୟରେ ମାଛ ଧରୁଥିଲା । ସେହି ସମୟରେ ବନବିଭାଗର ପାଟ୍ରୋଲିଂ ଟିମ୍ ଅଲିଭିୟାରେ ପହଞ୍ଚି ଟ୍ରଲରକୁ ଜବତ କରିବା ସହ ମୋଟ୍ ୯ ଜଣଙ୍କୁ ଗିରଫ କରି କୂଳକୁ ଫେରୁଥିଲା ।
ପାଟ୍ରୋଲିଂ ଟିମ୍ ଚଢ଼ଉ କରିଥିବା ଖବର ପାଇ ୮ରୁ ୧୦ଟି ଟ୍ରଲର୍ର ମାଫିଆମାନେ ସଂଘବଦ୍ଧ ଭାବେ ବନ ବିଭାଗ ପାଟ୍ରୋଲିଂ ଟିମ୍ ଉପରେ ଆକ୍ରମଣ କରିଥିଲେ । ପାଟ୍ରୋଲିଂ ଟିମ୍ ଟ୍ରଲରକୁ ଘେରିଯାଇ ସମୁଦ୍ରରେ ବୁଡ଼ାଇ ଦେବାକୁ ଉଦ୍ୟମ କରିଥିଲେ । ଏପରିକି ଜବତ ଟ୍ରଲର ଛଡ଼ାଇ ନେଇଯିବାକୁ ଚେଷ୍ଟା କରିଥିଲେ । ପରେ ପାଟ୍ରୋଲିଂ ଟିମ୍ ଉପରେ ପ୍ରାୟ ୮ ରାଉଣ୍ଡ ଫାଙ୍କା ଗୁଳି ଚଳାଇଥିଲେ । ଜବତ ଟ୍ରଲରରେ ଥିବା ୯ଜଣ ମତ୍ସ୍ୟଜୀବୀଙ୍କୁ ମଧ୍ୟରୁ ୮ଜଣଙ୍କୁ ମାଫିଆ ଛଡ଼ାଇ ନେଇଥିଲେ । ବାଧ୍ୟ ହୋଇ ବନ ବିଭାଗ ପାଟ୍ରୋଲିଂ ଟିମ୍ ଫାଙ୍କା ଗୁଳି ଚାଳନା କରିଥିଲେ । ଜବତ ଟ୍ରଲରର ଡ୍ରାଇଭରଙ୍କୁ ଛାଡ଼ିଦେଇ ଅନ୍ୟ ମତ୍ସ୍ୟଜୀବୀଙ୍କୁ ମାଫିଆମାନେ ନେଇଯିବାରେ ସକ୍ଷମ ହୋଇଥିଲେ । ତେବେ ଏହି ଖଣ୍ଡଯୁଦ୍ଧରେ ଗହୀରମଥା ଥରିଥିଲା ।
ପାଟ୍ରୋଲିଂ ଟିମ୍ର କେହି ଏଥିରେ ଆଘାତ ପାଇନାହାନ୍ତି । ତେବେ ଆଗକୁ ଆହୁରି ସଜାଗ ରହିବା ସହିତ ଅନ୍ୟ ମତ୍ସ୍ୟଜୀବୀଙ୍କୁ ଗିରଫ କରିବାକୁ ଟିମ୍ ପ୍ରସ୍ତୁତ ହେବ ବୋଲି ସୂଚନା ମିଳିଛି ।
Powered by Froala Editor