ଗ୍ୟାସ୍ରେ ଛୋଲେ ବସାଇ ଶୋଇପଡ଼ିଲେ, ୨ ଯୁବକଙ୍କ ମୃତ୍ୟୁ

ସାମାନ୍ୟ ଅସାବଧାନତାରୁ ଚାଲିଯାଇଛି ଦୁଇ ଜଣ ଯୁବକଙ୍କ ଜୀବନ। ଘଟଣା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶର ନୋଏଡାରୁ। ଏଠାରେ ଦୁଇ ଜଣ ଯୁବକଙ୍କ ଶ୍ୱାସରୁଦ୍ଧ ହେବା ଯୋଗୁ ମୃତ୍ୟୁ ହୋଇଛି। ମୃତ ଯୁବକ ହେଲେ ୨୨ ବର୍ଷୀୟ ଉପେନ୍ଦ୍ର ଓ ୨୩ ବର୍ଷୀୟ ଶୁଭମ।
ଉଭୟ ଯୁବକ ନୋଏଡାର ସେକ୍ଟର ୭୦ ସ୍ଥିତ ବସଇ ଗାଁରେ ଭଡ଼ାରେ ରହୁଥିଲେ। ସେମାନେ ଛୋଲେ କୁଲଚେ ଓ ଭଟୁରେ ବିକ୍ରି କରୁଥିଲେ। ଶୁକ୍ରବାର ରାତିରେ ଗ୍ୟାସ୍ ଷ୍ଟୋଭ୍ ଉପରେ ଛୋଲେ ରୋଷେଇ କରିବାକୁ ବସାଇ ଶୋଇ ପଡିଥିଲେ।
ସକାଳୁ ସେମାନଙ୍କ ପଡୋଶୀ ଘର ଭିତରୁ ଧୂଆଁ ବାହାରୁଥିବା ଦେଖି କବାଟ ବାଡେଇ ଥିଲେ। କିନ୍ତୁ କେହି ଖୋଲି ନଥିଲେ। ଏହାପରେ କବାଟ ଭାଙ୍ଗି ସେମାନେ ଘର ଭିତରେ ପଶିଥିଲେ। ଦୁଇ ଯୁବକଙ୍କ ଅଚେତ ଅବସ୍ଥାରେ ପଡିଥିବା ଦେଖି ସେମାନେ ତାଙ୍କୁ ଉଦ୍ଧାର କରି ନୋଏଡା ସେକ୍ଟର-୩୯ରେ ଥିବା ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ।
ବିଷାକ୍ତ ଧୂଆଁ ଯୋଗୁ ଶ୍ୱାସରୁଦ୍ଧ ହୋଇ ଉପେନ୍ଦ୍ର ଓ ଶୁଭମ୍ଙ୍କ ମୃତ୍ୟୁ ହୋଇଥିବା ପୁଲିସ କହିଛି। ପୁଲିସ ପୂରା ମାମଲାର ତଦନ୍ତ ଜାରି ରଖିଛି। ନୋଏଡା ସେଣ୍ଟ୍ରାଲ୍ ଜୋନ୍ ଆସିଷ୍ଟାଣ୍ଟ ପୁଲିସ୍ କମିଶନର କହିଛନ୍ତି ଯେ ଚୁଲି ଉପରେ ଛୋଲେ ରାନ୍ଧିବା କାରଣରୁ କୋଠରୀଟି ଧୂଆଁରେ ପରିପୂର୍ଣ୍ଣ ହୋଇ ଯାଇଥିଲା।
Powered by Froala Editor