ସମଲିଙ୍ଗୀ ବିବାହକୁ ଆଇନ ମାନ୍ୟତା ଦେବା ଆବେଦନ ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି, ଜାଣନ୍ତୁ କଣ ?
ନୂଆଦିଲ୍ଲୀ: ଭାରତରେ ସମଲିଙ୍ଗୀ ବିବାହକୁ ଆଇନ ମାନ୍ୟତା ଦେବା ପାଇଁ ହୋଇଥିବା ଆବେଦନ ଉପରେ ବଡ଼ ନିଷ୍ପତ୍ତି ନେଇଛନ୍ତି ସୁପ୍ରିମକୋର୍ଟ। ପୂର୍ବରୁ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବାକୁ ମନା କରି ଦେଇଥିଲେ। ଏହାକୁ ପୁନଃ ସମୀକ୍ଷା କରିବାକୁ ହୋଇଥିବା ଏକାଧିକ ଆବେଦନକୁ ମଧ୍ୟ ଆଜି ସର୍ବୋଚ୍ଚ ଅଦାଲତ ଅଗ୍ରାହ୍ୟ କରିଦେଇଛନ୍ତି। ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବାକୁ ୨୦୨୩ରେ ସର୍ବୋଚ୍ଚ ନ୍ୟାୟଳୟ ସଫା ସଫା ମନା କରିଦେଇଥିଲେ।
ସେହି ସମୟରେ ସୁପ୍ରିମକୋର୍ଟ ଐତିହାସିକ ରାୟରେ କହିଥିଲେ ଯେ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବାକୁ ସମ୍ବିଧାନରେ କୌଣସି ବ୍ୟବସ୍ଥା ନାହିଁ। ଆଜି ସର୍ବୋଚ୍ଚ ଅଦାଲତ ପୁରୁଣା କଥାକୁ ଦୋହରାଇବା ସହ ପୂର୍ବ ରାୟରେ କୌଣସି ତ୍ରୁଟି ନଥିବା କହିଛନ୍ତି।ପୂର୍ବ ରାୟରେ ଦିଆଯାଇଥିବା ମତ ଆଇନ ଆଧାରରେ କରାଯାଇଥିଲା। ତେଣୁ ଆଉ ସେଥିରେ ହସ୍ତକ୍ଷେପ କରିବାର କୌଣସି କାରଣ ନାହିଁ। ଏହାର ଅର୍ଥ ରାୟକୁ ସୀମକ୍ଷା କରିବା ପାଇଁ ହୋଇଥିବା ସମସ୍ତ ରିଭ୍ୟୁ ପିଟିସନକୁ ଖାରଜ କରାଯାଉଛି।
ଆଜି ଜଷ୍ଟିସ ବିଆର ଗବାଇ, ଜଷ୍ଟିସ ସୂର୍ୟ୍ୟକାନ୍ତ, ଜଷ୍ଟିସ ବିଭି ନାଗରତ୍ନା, ଜଷ୍ଟିସ ପିଏସ୍ ନରସୀମା ଓ ଜଷ୍ଟିସ ଦୀପଙ୍କର ଦତ୍ତାଙ୍କ ଖଣ୍ଡପୀଠ ଚ୍ୟାମ୍ବର ମଧ୍ୟରେ ରିଭ୍ୟୁ ପିଟିସନ ଗୁଡ଼ିକୁ ଯାଞ୍ଚ କରିଥିଲେ। ଏହାର ଓପନ କୋର୍ଟ ଶୁଣାଣିରେ ଆବଶ୍ୟକ ନାହିଁ ବୋଲି ଖଣ୍ଡପୀଠ ରଖିଛନ୍ତି।
Powered by Froala Editor