ଏଣିକି ଗୋଟିଏ କାର୍ଡରେ ରହିବ ରୋଗୀଙ୍କ ସମସ୍ତ ଡାଟା
ଭୁବନେଶ୍ୱର: ଏଣିକି ଗୋଟିଏ କାର୍ଡରେ ରହିବ ରୋଗୀଙ୍କ ସମସ୍ତ ଡାଟା । ଖୁବଶୀଘ୍ର ରାଜ୍ୟ ସରକାର ଲାଗୁ କରିବେ ନ୍ୟାସନାଲ ଡିଜିଟାଲ ହେଲଥ ମିଶନ । ଗୁରୁବାର ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।
ତାଙ୍କ ସୂଚନା ଅନୁଯାୟୀ ନ୍ୟାସନାଲ ହେଲଥ ଅଥୋରିଟି ଅଧୀନରେ ଆଭା କାର୍ଡ ରହିବ । ଏହାର ନାମ ରହିବ ଆୟୁଷ୍ମାନ ଭାରତ ହେଲଥ ଆକାଉଣ୍ଟ ବା ଆଭା କାର୍ଡ । କୁ୍ୟଆର କୋର୍ଡ ସ୍କାନ କଲେ ପୂର୍ବ ରୋଗ ସମ୍ପର୍କରେ ତଥ୍ୟ ମିଳିପାରିବ । ଲୋକସଂଖ୍ୟା ଅନୁସାରେ ଆଭା ଆକାଉଣ୍ଟ ରେଜିଷ୍ଟ୍ରେସନ କରିପାରିବେ । ଫେବୃଆରୀ ପୂର୍ବରୁ କାର୍ଡ ବଣ୍ଟନ ନେଇ ଯୋଜନା ରହିଥିବା ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ସୂଚନା ଦେଇଛନ୍ତି ।ଏହାଛଡ଼ା ଅନଲାଇନରେ କାର୍ଡ ପାଇଁ ଆବେଦନ କରିହେବ । ଆୟୁଷ୍ମାନ ଭାରତ ସହ ଏହି କାର୍ଡ ମିଳିବ ବୋଲି ସେ ସୂଚନା ଦେଇଛନ୍ତି ।
୨୦୨୫ ଫେବୃଆରୀରୁ ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ । ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା ଓଡ଼ିଶାରେ ଆସନ୍ତା ଫେବୃଆରୀରୁ ଲାଗୁ ହେବ । ରାଜ୍ୟର ସାଢେ଼ ୩ କୋଟି ଲୋକଙ୍କୁ ଏନେଇ ସ୍ୱାସ୍ଥ୍ୟକାର୍ଡ ମିଳିବ । ନିର୍ଦ୍ଦିଷ୍ଟ ଭାବରେ ୧ କୋଟି ପରିବାରର ପ୍ରାୟ ୩ କୋଟି ୫୦ ଲକ୍ଷ ଲୋକଙ୍କୁ ସ୍ୱାସ୍ଥ୍ୟ କାର୍ଡ ମିଳିବ । ଏହା ସାରା ଭାରତ ବର୍ଷରେ ପାଖାପାଖି ୨୭ ହଜାର ହସ୍ପିଟାଲ ସହ ଅନୁବନ୍ଧିତ ହେବ। ଲୋକ କ୍ୟାସଲେସ୍ ଚିକିତ୍ସା ସୁବିଧା ପାଇବେ । ୭୦ବର୍ଷ ବୟସରୁ ଊର୍ଦ୍ଧ୍ୱ ଲୋକଙ୍କ ମଧ୍ୟ ଏହି ସ୍ୱାସ୍ଥ୍ୟବୀମା ସୁବିଧା ମିଳିବ । ଏହା ଏକ କମନ୍ କାର୍ଡ ହେବ ।”ରାଜ୍ୟର ନିଜସ୍ବ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଓ ଆୟୁଷ୍ମାନ ଭାରତ ଯୋଜନା ପାଇଁ ହିତାଧିକାରୀଙ୍କୁ ଗୋଟିଏ କାର୍ଡ ପ୍ରଦାନ କରାଯିବ। ଉଭୟ ଯୋଜନା ଅଧୀନରେ ରାଜ୍ୟର ସାଢ଼େ ୩ କୋଟି ଲୋକ ଉପକୃତ ହେବେ। ଏହାଦ୍ୱାରା ରାଜ୍ୟବାସୀଙ୍କୁ ସାମାଜିକ ନିରାପତ୍ତା ମିଳିପାରିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି।
Powered by Froala Editor