ବର୍ଷା କ୍ଷୟକ୍ଷତି ଆକଳନ ପାଇଁ ଗ୍ରାଉଣ୍ଡକୁ ଯିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଅମଳ ସମୟରେ ଅଦିନିଆ ବର୍ଷା କ୍ଷୟକ୍ଷତି ଆକଳନ ପାଇଁ ଗ୍ରାଉଣ୍ଡକୁ ଯିବ ମୋହନ ସରକାର । ଚାଷୀଙ୍କ ଜମିକୁ ଯିବେ ନିଜେ ମୁଖ୍ୟମନ୍ତ୍ରୀ, ଉପ-ମୁଖ୍ୟମନ୍ତ୍ରୀଙ୍କ ସମତେ ଅନ୍ୟ ମନ୍ତ୍ରୀମାନେ । ରବିବାର ବିଭିନ୍ନ ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେହିପରି ଦୁଇ ଉପ-ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ପ୍ରଭାତୀ ପରିଡ଼ାଙ୍କ ସମେତ ଅନ୍ୟ ୩ ଜଣ ମନ୍ତ୍ରୀ, ରାଜସ୍ୱ ଏବଂ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ମଧ୍ୟ ବିଭିନ୍ନ ଜିଲ୍ଲା ବୁଲି ସ୍ଥିତି ସମୀକ୍ଷା କରିବେ ।ମୁଖ୍ୟମନ୍ତ୍ରୀ ଓ ରାଜସ୍ୱ ଏବଂ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଗଞ୍ଜାମ, ଗଜପତି ଓ ନୟାଗଡ଼ ଜିଲ୍ଲା ଗସ୍ତରେ ଯିବାର କାର୍ୟ୍ୟକ୍ରମ ସ୍ଥିର ହୋଇଛି । ନୟାଗଡ଼ ଜିଲ୍ଲାର ରଣପୁର, ଗଜପତିର ଗୋସାଣୀ ଓ ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା/ ଛତ୍ରପୁର ବ୍ଲକ ଯାଇ ଉଭୟ ଫସଲ କ୍ଷୟକ୍ଷତିର ଅନୁଧ୍ୟାନ କରିବେ । ଏହା ସହ ସେମାନେ ଚାଷୀଙ୍କୁ ଭେଟିବାର କାର୍ୟ୍ୟକ୍ରମ ସ୍ଥିର ହୋଇଛି ।ସେହିପରି ଉପ-ମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓ କଟକ ଓ ଜଗତସିଂହପୁର ଜିଲ୍ଲା ଗସ୍ତରେ ଯିବେ । ଅନ୍ୟତମ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଭଦ୍ରକ ଓ ବାଲେଶ୍ୱର ଗସ୍ତରେ ଯିବା ନେଇ ଚୂଡାନ୍ତ ହୋଇଛି । ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କେନ୍ଦ୍ରାପଡ଼ା ଓ ଯାଜପୁର ଯିବେ । ସେହିପରି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଖୋର୍ଦ୍ଧା ଜିଲ୍ଲା ଗସ୍ତରେ ଯିବେ ।
Powered by Froala Editor