ରାଷ୍ଟ୍ରୀୟ ମର୍ୟ୍ୟାଦା ସହ ସରିଲା ଅନ୍ତିମ ସଂସ୍କାର
ନୂଆଦିଲ୍ଲୀ: ପଞ୍ଚଭୂତରେ ଲୀନ ହେଲେ ଦିବଙ୍ଗତ ପ୍ରଧାନମନ୍ତ୍ରୀ ମନମୋହନ ସିଂହ। ସରିଲା ଅନ୍ତିମ ସଂସ୍କାର। ନୂଆଦିଲ୍ଲୀ ନିଗମବୋଧ ଘାଟରେ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ୟ୍ୟାଦା ସହ ମନମୋହନ ସିଂହଙ୍କ ଅନ୍ତିମ ସଂସ୍କାର ସମ୍ପୂର୍ଣ୍ଣ ହୋଇଛି। ପୂର୍ଣ୍ଣ ସେନା ସମ୍ମାନ ସହ ଶେଷକୃତ୍ୟ କରାଯାଇଛି।
ସ୍ଥଳସେନା, ବାୟୁସେନା ଓ ନୌସେନା ତଫରୁ ମନମୋହନ ସିଂହଙ୍କୁ ସଲାମି ଦିଆଯାଇଛି। ଶିଖ ରୀତିନୀତି ଅନୁସାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ଏହି ଅନ୍ତିମ ସଂସ୍କାର କାର୍ୟ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହୋଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ।ଏଥିସହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଅମିତ ଶାହା, ଜେପି ନଡ୍ଡା, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ରାହୁଲ ଗାନ୍ଧି, ସୋନିଆ ଗାନ୍ଧି ସମେତ ବହୁ ବଡ଼ ବଡ଼ ନେତା ଏଥିରେ ଯୋଗ ଦେଇଥିଲେ। ତିନି ସେନା ସ୍ଥଳସେନା, ବାୟୁସେନା ଏବଂ ନୌସେନା ପକ୍ଷରୁ ପାର୍ଥିବ ଶରୀରକୁ ସଲାମୀ ଦିଆଯାଇଥିଲା। ଶେଷରେ ଚିତାରେ ମୁଖାଗ୍ନୀ ଦିଆଯାଇଥିଲା। ଶନିବାର ସକାଳେ ଡ. ମନମୋହନଙ୍କ ପାର୍ଥିବ ଶରୀରକୁ ତାଙ୍କ ବାସଭବନରୁ ନୂଆଦିଲ୍ଲୀସ୍ଥିତ କଂଗ୍ରେସ ମୁଖ୍ୟାଳୟକୁ ବିରାଟ ପଟୁଆରରେ ନିଆଯାଇଥିଲା। ଏହା ପୂର୍ବରୁ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ। ସେଠାରୁ ଏକ ସୁସଜ୍ଜିତ ଗାଡ଼ିରେ ପାର୍ଥିବ ଶରୀରକୁ କଂଗ୍ରେସ କାର୍ୟ୍ୟାଳୟ ନିଆଯାଇଥିଲା। କଂଗ୍ରେସ କାର୍ୟ୍ୟାଳୟରେ ପାର୍ଥିବ ଶରୀର ପହଞ୍ଚିବା ପରେ ଦଳୀୟ ନେତା, ସାଂସଦମାନେ ଅନ୍ତିମଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। କିଛି ସମୟ ସେଠାରେ ରହିବା ପରେ ବିରାଟ ପଟୁଆରରେ ପାର୍ଥିବ ଶରୀରକୁ ନିଗମବୋଧ ଘାଟକୁ ନିଆଯାଇଥିଲା। ହଜାର ହଜାର କଂଗ୍ରେସ କର୍ମୀ, ଜନସାଧାରଣ, ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ସେନା ପକ୍ଷରୁ ସମ୍ମାନପୂର୍ବକ ସମସ୍ତ ପ୍ରସ୍ତୁତି କରାଯାଇଥିଲା।
Powered by Froala Editor