କାରାମୁକ୍ତ ହେଲେ ଆସାମ ବିଧାୟକ ଅଖିଳ ଗୋଗଇ
ଗୁଆହାଟି: ଦୀର୍ଘ ଦେଢ଼ ବର୍ଷ ପରେ କାରାମୁକ୍ତ ହୋଇଛନ୍ତି ଆସାମ ବିଧାୟକ ଅଖିଳ ଗୋଗଇ । ନାଗରିକତା ସଂଶୋଧନ ଆଇନ (ସିଏଏ) ବିରୋଧରେ ଆନେ୍ଦାଳନ ସମୟରେ ହିଂସାକାଣ୍ଡ ପାଇଁ ୟୁପିଏ ଆଇନ ଆଧାରରେ ଅଭିଯୁକ୍ତ ଗୋଗଇଙ୍କୁ ୨୦୧୯ ଡିସେମ୍ବରରେ ଗିରଫ କରାଯାଇଥିଲା । ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ଉପରେ ଜାତୀୟ ତଦନ୍ତକାରୀ ସଂସ୍ଥା ‘ଏନଆଇଏ’ ତଦନ୍ତ କରୁଥିଲା । ଏନଆଇଏ ତାଙ୍କୁ ସବୁ ଅଭିଯୋଗରୁ ମୁକ୍ତ କରିବା ପରେ ଗୁରୁବାର ସ୍ୱତନ୍ତ୍ର ଏନଆଇଏ ଅଦାଲତ ରାୟକ୍ରମେ ସେ କାରାଗାରରୁ ମୁକୁଳିଛନ୍ତି । ଗତ ସପ୍ତାହରେ ଅନ୍ୟ ଏକ ମାମଲାରେ ସେ ଦୋଷମୁକ୍ତ ହୋଇଥିଲେ । କାରାଗାରରେ ଥାଇ ମଧ୍ୟ ଅଖିଳ ଗତ ଏପି୍ରଲରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଶିବସାଗର ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ବିଜୟୀ ହୋଇଥିଲେ । କାରାଗାରରୁ ବାହାରିବା ପରେ ଅଖିଳ ପ୍ରଥମେ ଶାମ ଷ୍ଟାଫର୍ଡଙ୍କ ପରିବାରକୁ ସାକ୍ଷାତ କରିଛନ୍ତି ।
Powered by Froala Editor