ଦିଲ୍ଲୀରେ ୯୦ ବର୍ଷର ରେକର୍ଡ ଭାଙ୍ଗିଲା ତାପମାତ୍ରା
କୁହାଯାଇଥିଲା ଏ ବର୍ଷ ମୌସୁମୀ ସ୍ୱାଭାବିକ ହେବ । ହେଲେ ଦକ୍ଷିଣ ପଶ୍ଚିମ ମୌସୁମୀ ଦୁର୍ବଳ ହୋଇ ଯାଇଥିବା ବେଳେ ଉତ୍ତର ଭାରତର ରାଜ୍ୟଗୁଡ଼ିକ ହିଟୱେଭ ଅନୁଭୂତ ହେଲାଣି। ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଦିଲ୍ଲୀ, ଉତ୍ତର ରାଜସ୍ଥାନ, ଉତ୍ତରପ୍ରଦେଶ ଏବଂ ଉତ୍ତର ପଶ୍ଚିମ ମଧ୍ୟପ୍ରଦେଶର କିଛି ଅଞ୍ଚଳରେ ଆସନ୍ତା ୨ଦିନ ତାପମାତ୍ରା ଅଧିକ ହେବ। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।
ରାଜଧାନୀ ଦିଲ୍ଲୀର ସର୍ବୋଚ୍ଚ ତାପମାତ୍ରା ଜୁଲାଇ ମାସରେ ୯୦ ବର୍ଷର ରେକର୍ଡ ଭାଙ୍ଗି ଦେଇଛି। ଜୁଲାଇ ମାସର ପ୍ରଥମ ଦିନରେ ଦିଲ୍ଲୀର ତାପମାତ୍ରା ୪୩.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ୯୦ ବର୍ଷ ମଧ୍ୟରେ ଜୁଲାଇରେ କେବେ ହେଲେ ଏଭଳି ତାପମାତ୍ରା ରେକର୍ଡ କରାଯାଇ ନଥିଲା।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଦିଲ୍ଲୀରେ ସର୍ବୋଚ୍ଚ ତାପମାତ୍ରା ୪୩.୬ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ସର୍ବନିମ୍ନ ତାପମାତ୍ରା ୩୨ ଡିଗ୍ରୀ ସେଲସିୟସ ରହିଛି। ୧୯୩୧ ମସିହା ଜୁଲାଇ ୧ରେ ରାଜଧାନୀର ତାପମାତ୍ରା ୪୫ ଡିଗ୍ରୀ ରେକର୍ଡ କରାଯାଇଥିଲା। ହେଲେ ଆଜି ଏହା ୪୩.୬ ଡିଗ୍ରୀରେ ପହଞ୍ଚି ରେକର୍ଡକୁ ଭାଙ୍ଗି ଦେଇଛି। ଦୁଇ ଦିନ ପାଇଁ ପଞ୍ଜାବ, ହରିଆଣା, ଦିଲ୍ଲୀ, ଉତ୍ତର ରାଜସ୍ଥାନ ଓ ଉତ୍ତର ପ୍ରଦେଶରେ ହିଟୱେଭ ଅନୁଭତ ହେବ ବୋଲି ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି।
ଭାରତ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ, ସାଧାରଣ ତାପମାତ୍ରା ୬.୫ ଡିଗ୍ରୀ ସେଲସିୟସରୁ ଅଧିକ ହେଲେ “ପ୍ରବଳ” ଉତ୍ତାପ ତରଙ୍ଗ ଘୋଷଣା କରାଯିବ। ଆଇଏମଡିର ଆଞ୍ଚଳିକ ପୂର୍ବାନୁମାନ କେନ୍ଦ୍ରର ମୁଖ୍ୟ କୁଲଦୀପ ଶ୍ରୀବାସ୍ତବ କହିଛନ୍ତି ଯେ, ସାଧାରଣତଃ ରାଜଧାନୀ ଦିଲ୍ଲୀରେ ଜୁନ୍ ୨୦ ପର୍ଯ୍ୟନ୍ତ ତାପମାତ୍ରା ଅଧିକ ରହିବ ବୋଲି ଅନୁମାନ କରାଯାଉଥିଲା। କିନ୍ତୁ ମୌସୁମୀ ଆସିବ ବିଳମ୍ବ ହେବାରୁ ଏବେ ତାପମାତ୍ରା ବୃଦ୍ଧି ପାଉଛି ।
Powered by Froala Editor