ବକେୟା ରହିଛି ୫୦୦କୋଟିରୁ ଊର୍ଦ୍ଧ୍ବ ଜଳ କର

ସୁନ୍ଦରଗଡ଼ : କୋଟିଏ କି ଦୁଇ କୋଟି ନୁହେଁ, ଜଳ କର ବାବଦରେ ବକେୟା ରହିଛି ୫୦୦କୋଟିରୁ ଊର୍ଦ୍ଧ୍ବ। ଜଳସେଚନ ବିଭାଗ ପକ୍ଷରୁ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ ଜିଲାର ୧୦୭ଟି ଛୋଟ ବଡ଼ କଳକାରଖାନା ଏବଂ ଖଣିର ଜଳ କର ଅକ୍ଟୋବର ୩୧ତାରିଖ ପର୍ଯ୍ୟନ୍ତ ୫୦୩କୋଟି ୬୩ଲକ୍ଷ ୫୬ହଜାର ୭୬୭ଟଙ୍କା ବକେୟା ରହିଛି। କଳ କାରଖାନା ଏବଂ ଖଣି ତାଙ୍କ କାର୍ଯ୍ୟ ତୁଳାଇବା ପାଇଁ ଦୁଇଟି ଉତ୍ସରୁ ଜଳ ବ୍ୟବହାର କରିଥା’ନ୍ତି। ଗୋଟିଏ ଭୂତଳ ଜଳ ଏବଂ ଅନ୍ୟଟି ଖୋଲା ଉତ୍ସ ଯେପରିକି ନଦୀ, ନାଳ, ପୋଖରୀ ଆଦିରୁ ଜଳ ବ୍ୟବହାର କରିଥା’ନ୍ତି। ଏପରି ୧୦୭ଟି କମ୍ପାନୀ ଜଳସେଚନ ବିଭାଗ ଠାରୁ ନିର୍ଦ୍ଧାରିତ ପରିମାଣର ଜଳ ବ୍ୟବହାର ପାଇଁ ଅନୁମତି ନେଇଥିବାବେଳେ ତା’ପାଇଁ ଏକ ମୂଲ୍ୟ ମଧ୍ୟ ନିର୍ଦ୍ଧାରଣ କରାଯାଇଛି। ଯେମିତି ଗୋଟିଏ କମ୍ପାନୀ ଯଦି ନଦୀ କିମ୍ବା ପୋଖରୀରୁ ପାଣି ଉଠାଏ ତା’ହେଲେ ପ୍ରତି କ୍ୟୁସେକ ମିଟର ଜଳ ପାଇଁ ଦେୟ ଦେବା ପାଇଁ ପଡ଼େ ୬ଟଙ୍କା ୧୨ପଇସା ଏବଂ ଯଦି ଭୂତଳ ଜଳ ଉତ୍ତୋଳନ କରି ତା’ହେଲେ ପ୍ରତି କ୍ୟୁସେକ ମିଟର ଜଳ ପାଇଁ ଦେବାକୁ ପଡ଼େ ୧୨ଟଙ୍କା ୨୪ପଇସା। ମିଳିଥିବା ତଥ୍ୟ ଅନୁସାରେ, କୁଆଁରମୁଣ୍ଡାସ୍ଥିତ ଆଧୁନିକ ମେଟାଲିକ୍ସ ଲିମିଟେଡର ସର୍ବାଧିକ ଜଳକର ୧୫୩କୋଟି ୮୪ଲକ୍ଷ୫୪ହଜାର ୭୮୨ଟଙ୍କା ବକେୟା ରହିଛି।
Powered by Froala Editor