କୋଭିଡ୍ ମୃତୁ୍ୟ ପାଇଁ ମିଳିବ କ୍ଷତିପୂରଣ
ନୂଆଦିଲ୍ଲୀ : କରୋନାରେ ପ୍ରାଣ ହରାଉଥିବା ଲୋକଙ୍କ ପରିବାରକୁ ସରକାରଙ୍କ ପକ୍ଷରୁ ଆର୍ଥôକ ସହାୟତା ଦେବାକୁ ପଡ଼ିବ । ତେବେ ଏହି ପରିମାଣ କେତେ ହେବ ସେଂପର୍କରେ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏନଡିଏମଏ) ଗାଇଡଲାଇନ୍ସ ଜାରି କରିବ । ଏକ ଜନସ୍ୱାର୍ଥ ମାମଲାର ବିଚାର କରି ସୁପ୍ରିମକୋର୍ଟ ଆଜି ଏହି ନିର୍ଦେଶ ଦେଇଛନ୍ତି । ଏଥିପାଇଁ ଏନଡିଏମଏକୁ ୬ ସପ୍ତାହ ସମୟ ଦେଇଛନ୍ତି । ଏଭଳି ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେବାଲାଗି ହୋଇଥିବା ଆବେଦନ ସଂପର୍କରେ କୋର୍ଟ କହିଛନ୍ତି ଯେ ସହାୟତା ରାଶି ପରିମାଣ କୋର୍ଟ ଧାର୍ଯ୍ୟ କରିବା ଠିକ୍ ହେବନାହିଁ । ଏସଂପର୍କରେ ଏନଡିଏମଏ ନିଷ୍ପତ୍ତି ନେଉ । ମାମଲାର ବିଚାର କରୁଥିବା ଜଷ୍ଟିସ ଅଶୋକ ଭୂଷଣ ଏବଂ ଏମଆର ଶାହଙ୍କ ଖଣ୍ଡପୀଠ ଏନଡିଏମଏ ଉପରେ ବର୍ଷିଛନ୍ତି । କହିଛନ୍ତି ଯେ ଏହି ସଂସ୍ଥା ସାମ୍ବିଧାନିକ ଦାୟିତ୍ୱ ନିର୍ବାହ କରିବାରେ ବିଫଳ ହୋଇଛି । ସୂଚନାଯୋଗ୍ୟ ଯେ ପୂର୍ବରୁ କେନ୍ଦ୍ର ସରକାର କ୍ଷତିପୂରଣ ପ୍ରସଙ୍ଗରେ କହିଥିଲେ ଯେ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେଇହେବ ନାହିଁ । କାରଣ ଏଭଳି କ୍ଷତିପୂରଣ ପ୍ରଦାନ କରାଗଲେ ବିପର୍ଯ୍ୟୟ ପରିଚାଳନା ପାଣ୍ଠି ଖାଲି ହୋଇଯିବ । ରାଜ୍ୟମାନେ ଅନ୍ୟ ବିପର୍ଯ୍ୟୟର ମୁକାବିଲା କରିପାରିବେ ନାହିଁ । ତେବେ ସୁପ୍ରିମକୋର୍ଟ କହିଛନ୍ତି ଯେ ଏନଡିଏମଏର ଧାରା ୧୨ରେ ବିପର୍ଯ୍ୟୟ ମୃତୁ୍ୟରେ କ୍ଷତିପୂରଣ ଦେବାକୁ ବ୍ୟବସ୍ଥା ରହିଛି ଏବଂ ଏହାକୁ ପୂରଣ କରିବା ହେଉଛି ସରକାରଙ୍କ ଦାୟିତ୍ୱ । କୋଭିଡ ମୃତକଙ୍କ ପରିବାରର ଦୁଃଖ ଲାଘବ ପାଇଁ ସରକାର ସମାନ କ୍ଷତିପୂରଣ ଯୋଜନା (ୟୁନିଫର୍ମ କମ୍ପେନସେସନ ସ୍କିମ) ପ୍ରସ୍ତୁତ କରିବା ଦିଗରେ ପଦକ୍ଷେପ ନେବାକୁ କୋର୍ଟ କହିଛନ୍ତି । କୋଭିଡରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ପାଇଁ ମୃତୁ୍ୟ ପ୍ରମାଣପତ୍ର ଜାରି କରିବାକୁ ହେବ ଏବଂ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ବୀମା ନୀତି ମଧ୍ୟ ପ୍ରସ୍ତୁତ କରାଯାଇପାରିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।
Powered by Froala Editor