ବୁର୍ଲା ମେଡିକାଲରୁ ପିଲା ଚୋରି ଅଭିଯୋଗ, ସମ୍ପର୍କ ବଢ଼ାଇ ମହିଳା ନେଇଗଲା ନବଜାତ

ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ ଏବଂ ହସ୍ପିଟାଲ (ଭୀମସାର)ରୁ ନବଜାତ ଶିଶୁ ଚୋରି ଅଭିଯୋଗ ହୋଇଛି। ନବଜାତ ଶିଶୁ ଚୋରି ନେଇ ଛତିଶଗଡ଼ର ଦମ୍ପତି ବୁର୍ଲା ଥାନାରେ ଅଭିଯୋଗ ଆଣିଛନ୍ତି। ମେଡିକାଲ ପରିସରରୁ ପିଲା ଚୋରି ହେବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ତେବେ ପିଲା ଚୋରି ଖବର ପାଇବା ପରେ ପୁଲିସ ଘଟଣାସ୍ତଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏ ମାମଲା ନେଇ ପୁଲିସ ପଚରାଉଚରା ଜାରି ରଖିଛି ।
ଛତିଶଗଡ଼ଗର ମହାସମୁନ୍ଦ ଜିଲ୍ଲା ବସନା ଥାନା ଅନ୍ତର୍ଗତ ବଡେସଜାପାଲି ଗାଁର ମୋହନ ଦାସଙ୍କ ପତ୍ନୀ ସୀତା ଦାସ ଗତ ୨୪ ତାରିଖ ଦିନ ଭୀମସାରର ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗରେ ଭର୍ତ୍ତି ହୋଇଥିଲେ। ସେ ସୋମବାର ଦିନ ଏକ ଶିଶୁ ଜନ୍ମ ଦେଇଥିଲେ। ପିଲା ଜନ୍ମ ହେଲା ପରେ ତାଙ୍କ ସହିତ ଜଣେ ମହିଳା ମିଶୁଥିଲା। ଅପରାହ୍ଣ ପ୍ରାୟ ୩ଟା ବେଳେ ଦଂପତି ସେମାନଙ୍କର ଛୁଆ ନଥିବା ଦେଖିଥିଲେ। ଖୋଜାଖୋଜି କରି ନପାଇବା ପରେ ପୁଲିସରେ ଅଭିଯୋଗ କରିଥିଲେ।
ଗତ ଜୁନ୍ ମାସରେ ବାଲେଶ୍ବର ଜିଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗରୁ ନବଜାତ ଶିଶୁ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଥିଲା।ପରେ ନବଜାତ ଶିଶୁ ଜଳେଶ୍ଵର ଅଞ୍ଚଳରୁ ପୁଲିସ ନବଜାତ ପୁତ୍ରକୁ ଉଦ୍ଧାର କରିଥିଲା।
Powered by Froala Editor