ପୁରୁଷଙ୍କ ତୁଳନାରେ ଟିକା ନେବାକୁ ମହିଳାଙ୍କ ଆଗ୍ରହ କମ୍
ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ସଞ୍ଜୀବନୀ ସାଜିଛି ଟିକା । ଏଥିପାଇଁ ଦେଶରେ ଟିକାକରଣକୁ ଜୋରଦାର୍ କରାଯାଉଛି । କେନ୍ଦ୍ର ସରକାର ସମସ୍ତଙ୍କୁ ମାଗଣାରେ ଟିକା ଯୋଗାଇ ଦେଉଛନ୍ତି । ଏହାସତ୍ତ୍ୱେ ଦେଶରେ ମହିଳାମାନେ ଟିକା ନେବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି । ଭାରତରେ ପୁରୁଷଙ୍କ ତୁଳନାରେ ମହିଳାମାନେ କମ୍ ଟିକା ନେଇଥିବା ଜଣାପଡ଼ିଛି । ଯାହାକି ଏବେ ବିଶେଷଜ୍ଞମାନଙ୍କୁ ଚିନ୍ତାରେ ପକାଇଛି ।
ଭାରତରେ ଟିକାକରଣ ଅଭିଯାନ ଜାନୁଆରୀ ୧୬ରୁ ଆରମ୍ଭ ହୋଇଛି । କିନ୍ତୁ ଜୁନ୍ ୨୧ରୁ ଏହି ଅଭିଯାନକୁ ତ୍ୱରାନ୍ୱିତ କରାଯାଇଛି । ଏ ପର୍ଯ୍ୟନ୍ତ ସାରା ଦେଶରେ ମୋଟ ଜନସଂଖ୍ୟାରୁ ୩୨.୭୯ କୋଟି ଲୋକ ଟିକା ନେଇ ସାରିଲେଣି । ଜୁନ୍ ୨୧ରୁ ଜୁନ ୨୯ ମଧ୍ୟରେ ୪.୬୧ କୋଟିରୁ ଊର୍ଦ୍ଧ୍ୱ ଲୋକଙ୍କୁ ଟିକା ଦିଆଯାଇଛି ।
କିନ୍ତୁ ପରିତାପର ବିଷୟ ଯେ ପୁରୁଷ ଓ ମହିଳାଙ୍କ ଅନୁପାତ ବିଷୟରେ କହିବାକୁ ଗଲେ ସରକାରୀ ତଥ୍ୟ ଅନୁସାରେ ମହିଳାଙ୍କ ତୁଳନାରେ ୩ କୋଟିରୁ ଅଧିକ ପୁରୁଷ ଟିକା ନେଇଛନ୍ତି । ଟିକାକରଣ ଅଭିଯାନର ଆରମ୍ଭରୁ ଏ ପର୍ଯ୍ୟନ୍ତ ମୋଟ ୧୪.୯୯ କୋଟି ମହିଳା ଟିକା ନେଇସାରିଛନ୍ତି । ଯାହା ଟିକାକରଣର ମୋଟ ୪୬ ପ୍ରତିଶତ । ସେହିପରି ଏ ପର୍ଯ୍ୟନ୍ତ ମୋଟ ୧୭.୮କୋଟି ପୁରୁଷ ଟିକା ନେଇଥିବା ଜଣାପଡ଼ିଛି । ଯାହା ଟିକାକରଣର ୫୪ ପ୍ରତିଶତ । ଅନ୍ୟପଟେ ଭାରତରେ ଏ ପର୍ଯ୍ୟନ୍ତ ମୋଟ ୫୪,୬୯୩ କିନ୍ନରଙ୍କୁ ଟିକା ଦିଆଯାଇଛି ବୋଲି ନୀତି ଆୟୋଗର ସଦସ୍ୟ (ସ୍ୱାସ୍ଥ୍ୟ) ବି.କେ ପଲ୍ ସୂଚନା ଦେଇଛନ୍ତି ।
ସେପଟେ ଟିକା ନେବାକୁ ମହିଳାମାନେ କୁଣ୍ଠାବୋଧ କରୁଥିବା ଜଣାପଡ଼ିବା ପରେ ଏବେ ସରକାର ବିକଳ୍ପ ଚିନ୍ତା କଲେଣି । ସଚେତନ କରାଇବାକୁ ମନସ୍ଥ କରିଛନ୍ତି । କିଭଳି ଭାବେ ଅଧିକରୁ ଅଧିକ ମହିଳା ଟିକାକରଣରେ ସାମିଲ ହେବେ ସେନେଇ ଯୋଜନା ପ୍ରସ୍ତୁତ କରାଯାଉଛି । ଏହାଛଡ଼ା ସବୁ ବର୍ଗଙ୍କୁ ଟିକାକରଣ କରିବାକୁ ଲକ୍ଷ୍ୟ ରଖାଯାଇଛି ।
Powered by Froala Editor