୧୨ଟି ଆମ୍ବକୁ ୧ ଲକ୍ଷ ୨୦ ହଜାର ଟଙ୍କା
ଜାମସେଦପୁର : ଝାଡ଼ଖଣ୍ଡର ଜାମସେଦପୁରଠାରେ ରହୁଥିବା ତୁଳସୀ କୁମାରୀ ନାମ୍ନୀ ଜଣେ ୧୧ ବର୍ଷୀୟା ଆମ୍ବବିକାଳି ବାଳିକା ଗୋଟା ୧୦,୦୦୦ ଟଙ୍କା ହିସାବରେ ୧୨ଟି ଆମ୍ବକୁ ୧ ଲକ୍ଷ ୨୦ ହଜାର ଟଙ୍କାରେ ବିକି ନିଜର ଅନଲାଇନ୍ କ୍ଲାସ୍ ପାଇଁ ସ୍ମାର୍ଟଫୋନ୍ କିଣିବାର ସ୍ୱପ୍ନ ସାକାର କରିଥିବା ଜଣାପଡ଼ିଛି । ତେବେ ଏହା ପଛରେ ରହିଛି ମୁମ୍ବାଇର ଅମେୟ ହେଟେ ନାମକ ଜଣେ ବଦାନ୍ୟ ବ୍ୟବସାୟୀଙ୍କ ସହୃଦୟତା । ପ୍ରାପ୍ତ ସୂଚନା ଅନୁସାରେ, ତୁଳସୀର ଜୀବନ ସଂଘର୍ଷ ବିଷୟରେ ଜାଣିବା ପରେ ମୁମ୍ବାଇର ଅମେୟ ହେଟେ ନାମକ ବ୍ୟବସାୟୀ ତା’ର ଅଧିକ ପାଠ ପଢ଼ିବାର ଇଚ୍ଛାକୁ ସାକାର କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ତେଣୁ ସେ ରାସ୍ତାକଡ଼ରେ ଆମ୍ବ ବିକୁଥିବା ଏହି ଗରିବ ବାଳିକାଠାରୁ ୧୨ଟା ଆମ୍ବକୁ ୧ ଲକ୍ଷ ୨୦ ହଜାର ଟଙ୍କା ଦେଇ କିଣିନେଇଥିଲେ । ଏ ବିଷୟରେ ତୁଳସୀ କୁମାରୀ ଗଣମାଧ୍ୟମକୁ କହିଛନ୍ତି ଯେ, ଲକଡାଉନ ସମୟରେ ତାଙ୍କ ପରିବାରର ଆର୍ଥôକ ଦୁରବସ୍ଥା ବଢ଼ିଯାଇଥିଲା । ଅନଲାଇନ୍ କ୍ଲାସ କରିବା ପାଇଁ ତାଙ୍କ ପିତାମାତା ତାଙ୍କୁ ସ୍ମାର୍ଟଫୋନଟିଏ କିଣିଦେବା ଅବସ୍ଥାରେ ନ ଥିଲେ । ସେ ଏକ ସ୍ମାର୍ଟଫୋନ କିଣିବାକୁ ଚାହୁଁଥିଲେ । କିନ୍ତୁ ଆମ୍ବବିକ୍ରିରୁ ଯେତିକି ଆୟ ହୁଏ ସେଥିରେ ତାଙ୍କ ପରିବାରର ଦୈନିକ ଗୁଜରାଣ ମେଣ୍ଟାଇବା ପାଇଁ ଅକୁଳାନ ହେଉଥିଲା । ତା’ପରେ ଜଣେ ‘ସାର’ ତାଙ୍କଠାରୁ ଆମ୍ବ ଗୋଟା ୧୦,୦୦୦ ଟଙ୍କାରେ ୧୨ଟା ଆମ୍ବ କିଣିଲେ ଏବଂ ସେ ମଧ୍ୟ ତାଙ୍କ ପାଇଁ ଗୋଟିଏ ସ୍ମାର୍ଟଫୋନ୍ କିଣିଦେଲେ । ସେ ତାଙ୍କଠାରେ କୃତଜ୍ଞ ରହିବା ସହ ପାଠପଢ଼ାରେ ମନଦେବେ ବୋଲି କହିଥିଲେ ।
Powered by Froala Editor