ଶ୍ରୀମନ୍ଦିରରେ ପଶିଲେ ଚୀନ୍ ମହିଳା, ଗୁମୁଟରୁ ଅଟକାଇଲା ପୁଲିସ

ପୁରୀ ଶ୍ରୀମନ୍ଦରରେ ପୁଣି ଜଣେ ବିଦେଶିନୀ ପ୍ରବେଶ ଉଦ୍ୟମ କରିଛନ୍ତି। ଅଣହିନ୍ଦୁ ମହିଳା ଜଣକ ଶ୍ରୀମନ୍ଦିର ଗୁମୁଟ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲେ। ସନ୍ଦେହ ହେବାରୁ ଶ୍ରୀମନ୍ଦିର ପୁଲିସର କର୍ମଚାରୀମାନେ ଯାଇ ତାଙ୍କୁ ଅଟକାଇଥିଲେ। ଉଦ୍ଧାର ବେଳେ ମହିଳା ଜଣକ ପୁଲିସ୍କୁ ବିରୋଧ କରୁଥିଲେ। ହେଲେ ପୁଲିସ୍ ତାଙ୍କୁ ଜବରଦସ୍ତି ଅସ୍ଥାୟୀ ଆଉଟ୍ ପୋଷ୍ଟକୁ ନେଇଥିଲା।
ମହିଳା ଜଣକ ଚାଇନିଜ୍ ଭାଷାରେ କଥା ହେଉଥିବା ଜଣାପଡ଼ିଛି। ତେଣୁ ସମ୍ଭବତଃ ସେ ଚୀନର ନାଗରିକ ହୋଇଥାଇପାରନ୍ତି। ସମ୍ପୃକ୍ତ ମହିଳାଙ୍କୁ ସିଂହଦ୍ୱାର ଥାନାରେ ଅଟକ ରଖି ପୁଲିସ ପଚରାଉଚରା କରୁଛି। କାର୍ତ୍ତିକ ମାସରେ ପଞ୍ଚୁକ ଜାରି ରହିଥିବାରୁ ଭିଡ଼ ଭିତରେ ଅଣ ହିନ୍ଦୁ ମହିଳା ଶ୍ରୀମନ୍ଦିରରେ ପଶିବାକୁ ଉଦ୍ୟମ କରୁଥିବା ଜଣାପଡ଼ିଛି।
ଶ୍ରୀମନ୍ଦିରରେ ବ୍ୟାପକ ପୁଲିସ ମୁତୟନ ଓ ସିସିଟିଭି ଖଞ୍ଜା ଯାଇଥିଲେ ମଧ୍ୟ ଅଣହିନ୍ଦୁମାନଙ୍କ ପ୍ରବେଶ ନେଇ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ପୂର୍ବରୁ କିଛି ବାଂଲାଦେଶୀ ଶ୍ରୀମନ୍ଦିର ଭିତରେ ପଶିଥିଲେ। ସେମାନେ ମନ୍ଦିର ଚାରି ପାର୍ଶ୍ୱରେ ବୁଲାବୁଲି କରୁଥିବା ସେବାୟତଙ୍କ ନଜରରେ ପଡ଼ିଥିଲେ। ତା’ପରେ ପୁଲିସ୍ ସେମାନଙ୍କୁ ଉଦ୍ଧାର କରି ଆଣିଥିଲା। ପଚରାଉଚରା ପରେ ସେମାନେ ବାଂଲାଦେଶୀ ବୋଲି ଜଣାପଡ଼ିଥିଲା।
ଅତୀତରେ ମଧ୍ୟ ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ କରିଥିବା ନଜିର ରହିଛି। ଢିଲା ସୁରକ୍ଷା ଯୋଗୁ ବିଦେଶୀମାନେ ବାରମ୍ୱାର ଶ୍ରୀମନ୍ଦିର ଭିତରେ ପଶୁଥିବା ଅଭିଯୋଗ ହେଉଛି। ଏହାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
Powered by Froala Editor