ଦୁର୍ଘଟଣାରେ ୨ ଇଞ୍ଜିନିୟରିଂ ଛାତ୍ର ମୃତ

ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଠାକୁରମୁଣ୍ଡା-ଶରତ ରାସ୍ତା ନୂଆସାହି ବାଙ୍କରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୨ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ଘଟିଛି । ସେମାନଙ୍କ ମଧ୍ୟରୁ ଜଣେ କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଅନ୍ତର୍ଗତ ବେଲସରେଇ ଗ୍ରାମର ୧୯ ବର୍ଷୀୟ ଛାତ୍ର । ତାଙ୍କ ନାମ ଚୋଡ଼ଗଙ୍ଗଦେବ ମୁଣ୍ଡା(୧୯) । ଅନ୍ୟ ଜଣେ ମୟୂରଭଞ୍ଜ ଜିଲ୍ଲା ଗୁଣ୍ଡୁରିପୋଷି ଗ୍ରାମର ବିକାଶ ମୁଣ୍ଡା । ତାଙ୍କ ବୟସ ୨୧ ବର୍ଷ ।
ଉଭୟ କରଞ୍ଜିଆ ନିକଟସ୍ଥ କଳାକାଦ ସ୍ଥିତ ଏସଏସଆଇଟି ଇଞ୍ଜିନିୟରିଂ କଲେଜରେ ପଢ଼ନ୍ତି । ଦ୍ୱିତୀୟ ବର୍ଷ ଛାତ୍ର ଚୋଡ଼ଗଙ୍ଗଦେବ କଲେଜରେ ଛୁଟି ଦରଖାସ୍ତ ଦେଇ ମଙ୍ଗଳବାର ଘରକୁ ଯାଇଥିଲା । ଚୋଡ଼ଗଙ୍ଗଦେବ ପାଖକୁ ଗୁଣ୍ଡୁରିପୋଷି ଗ୍ରାମର ବିକାଶ ମୁଣ୍ଡା ବାଇକ୍ ନେଇ ଆସିଥିଲା । ମା’ ପାଖରୁ ୨୦୦ ଟଙ୍କା ନେଇ ବାଇକ ଯୋଗେ ଚୋଡଙ୍ଗଗଦେବ ଏବଂ ବିକାଶ ଚୋଡ଼ଗଙ୍ଗର ଭଉଣୀ ଘର ଶରତ ଅଞ୍ଚଳକୁ ବାହାରିଥିଲେ ।
ଉଭୟ ଠାକୁରମୁଣ୍ଡା ବଜାର ଅତିକ୍ରମ କରି ୩ କିମି ଦୂର ନୂଆସାହି ବାଙ୍କରେ ରାସ୍ତା କଡରେ ଥିବା ସିମେଣ୍ଟ ଖୁଣ୍ଟିକୁ ଧକ୍କାଦେଇ ଦୁର୍ଘଟଣାର ଶିକାର ହୋଇଥିଲେ । ଘଟଣାସ୍ଥଳରେ ହିଁ ଚୋଡ଼ଗଙ୍ଗଦେବଙ୍କ ମୃତ୍ୟୁ ହୋଇଥିଲା । ବିକାଶକୁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରେ କଟକ ସ୍ଥାନାନ୍ତର କରାଯାଉଥିଲା । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ବିକାଶର ମୃତ୍ୟୁ ଘଟିଛି ।
Powered by Froala Editor