୭ ଫୁଟିଆ ବଉଳା କୁମ୍ଭୀର ଧରା ପଡିଲା

ଭୋଗରାଇ: ଧରା ପଡିଲା ୭ ଫୁଟିଆ ବଉଳା କୁମ୍ଭୀର । ଦୀର୍ଘ ସମୟ ଧରି ୩୦ ଜଣିଆ ଟିମ୍ ଜାଲ ବିଛାଇ ଜଗି ରହିଥିବା ବେଳେ ଗୁରୁବାର ବିଳମ୍ବିତ ରାତିରେ କୁମ୍ଭୀରକୁ ଧରିବାରେ ବନ ବିଭାଗ ସଫଳ ହୋଇଛି । କୁମ୍ଭୀରଟିକୁ ଧରିବା ପରେ ତାକୁ ଭିତରକନିକା ନିଆଯାଇଛି । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ବିଚିତ୍ରପୁର ବେଳାଭୂମିରେ ଏଭଳି ଘଟଣା ଘଟିଛି । ଏହି କୁମ୍ଭୀରଟି ବାତ୍ୟା ‘ଦାନା’ ପ୍ରଭାବରେ ଭିତରକନିକାରୁ ପଳେଇ ଆସିବା ନେଇ ସନ୍ଧେହ କରାଯାଉଥିଲା ।
କୁମ୍ଭୀରଟିକୁ ଧରିବା ପାଇଁ ରାତିରେ ସମୁଦ୍ରକୁ ଲାଗିଥିବା ନାଳ ଭିତରେ ବନ ବିଭାଗର ଏକ ସ୍ୱତନ୍ତ୍ର ଟିମର ପେଟ୍ରୋଲିଂ କରିଥିଲା । ଭୋଗରାଇ ବ୍ଲକ ବିଚିତ୍ରପୁର ବେଳାଭୂମିରେ କୁମ୍ଭୀର ଠାବ ହେବା ପରେ ଲୋକେ ଭୟଭୀତ ହୋଇ ରହିଥିଲେ । ଯାହାକୁ ଧରିବା ପାଇଁ ବନ ବିଭାଗର ପକ୍ଷରୁ ଗୁରୁୂବାର ଅପରାହ୍ନ ୨ ଟାରୁ ରାତି ୧୨ ପର୍ୟ୍ୟନ୍ତ ପ୍ରୟାସ ଜାରି ରହିଥିଲା । ଏହାକୁ ନେଇ ଉପକୂଳବର୍ତ୍ତୀ ଅଞ୍ଚଳରେ ବନବିଭାଗ ପକ୍ଷରୁ ସଚେତନତା କରାଯାଇଥିଲା । ତେବେ ବନ ବିଭାଗର ଅକ୍ଲାନ୍ତ ପରିଶ୍ରମ ପରେ ପ୍ରାୟ ରାତି ୧ ଟାରେ ଧରା ପଡିଛି ବୋଲି ସୂଚନା ମିଳିଛି ।
Powered by Froala Editor