ଭଦ୍ରକ ଓ କେନ୍ଦ୍ରାପଡ଼ାର କିଛି ଅଞ୍ଚଳରେ ସ୍ପର୍ଶ କଲା ବାତ୍ୟାର ବାହ୍ୟ ବଳୟ
ଭୁବନେଶ୍ୱର:ବାତ୍ୟା ‘ଦାନା’ର ବାହ୍ୟବଳୟ ସ୍ଥଳଭାଗ ଛୁଇଁଛି । ଭଦ୍ରକ ଓ କେନ୍ଦ୍ରାପଡ଼ାର କିଛି ଅଞ୍ଚଳରେ ବାତ୍ୟାର ବାହ୍ୟ ବଳୟ ସ୍ପର୍ଶ କରିଛି । ପାରାଦୀପ ରାଡାର ତଥ୍ୟରୁ ପାଣିପାଗ ବିଜ୍ଞାନୀ ଏହି ସୂଚନା ଦେଇଛନ୍ତି । ବାତ୍ୟା ପ୍ରଭାବରେ ଧାମରା ଓ ପାରାଦୀପରେ ବର୍ଷା ଆରମ୍ଭ ହୋଇଛି । ଆକାଶରେ କଳାହାଣ୍ଡିଆ ମେଘ ଘୋଟି ଆସିଥିବା ଦେଖିବାକୁ ମିଳିଛି । ଧାମରାରେ ବର୍ଷା ସହ ପବନ ହେଉଥିବାବେଳେ ପାରାଦୀପରେ ଆକାଶ ମେଘାଚ୍ଛନ୍ନ ରହିଥିବା ଜଣାଯାଇଛି । କେନ୍ଦ୍ରାପଡ଼ା ଓ ରାଜନଗରରେ ବି ବର୍ଷା ଆରମ୍ଭ ହୋଇଛି ।
ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ବାତ୍ୟା ‘ଦାନା’। ବାତ୍ୟାଟି ଗତ ୬ ଘଣ୍ଟା ହେବ ଘଣ୍ଟାପ୍ରତି ୧୮ କିମି ବେଗରେ ଗତି କରୁଛି। ପାରାଦୀପ ରାଡାର ଇମେଜରେ ବାତ୍ୟାର ଚିତ୍ର ଦୃଶ୍ୟମାନ ହୋଇଛି।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଅନୁସାରେ, ଗଭୀର ଅବପାତଟି ଆଜି ସକାଳେ ବାତ୍ୟାରେ ପରିଣତ ହୋଇଛି। ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଘଣ୍ଟାପ୍ରତି ୧୮ କିଲୋମିଟର ବେଗରେ ଆଗକୁ ବଢୁଛି। ବାତ୍ୟାଟି ପାରାଦୀପଠୁ ୫୬୦ ଓ ସାଗରଦ୍ୱୀପରୁ ୬୩୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି।
ଆସନ୍ତାକାଲି ଏହା ଭୀଷଣ ବାତ୍ୟାରେ ପରିଣତ ହୋଇ ଓଡ଼ିଶାର ପୁରୀ ଏବଂ ପଶ୍ଚିମବଙ୍ଗର ସାଗରଦ୍ୱୀପ ମଧ୍ୟରେ ଆସନ୍ତାକାଲି ରାତି କିମ୍ବା ୨୫ ପାହାନ୍ତା ଭିତରେ ଉପକୂଳ ଅତିକ୍ରମ କରିବ। ତେବେ ପ୍ରକୃତ ଲ୍ୟାଣ୍ଡଫଲ୍ ସ୍ଥଳ ଏଯାଏଁ ସ୍ପଷ୍ଟ କରିନି ଆଇଏମଡି। ଭୀଷଣ ବାତ୍ୟା ଉପକୂଳ ଅତିକ୍ରମ ବେଳେ ପବନର ବେଗ ୧୦୦ରୁ ୧୨୦ ମଧ୍ୟରେ ରହିବ। ବାତ୍ୟାର ପ୍ରଭାବ ଉତ୍ତର ଓଡ଼ିଶା ଉପରେ ଅଧିକ ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
Powered by Froala Editor