ସାମ୍ଭାବ୍ୟ ବାତ୍ୟା ସ୍ଥିତିର ମୁକାବିଲା ପାଇଁ ପ୍ରଭାବିତ ଜିଲ୍ଲାକୁ ଯିବେ ବରିଷ୍ଠ ଆଇଏଏସ ଅଧିକାରୀ
ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଆଜି ସକାଳେ ଲଘୁଚାପରେ ପରିଣତ ହୋଇଛି । ଏହା ସହ ସମ୍ଭାବ୍ୟ ବାତ୍ୟା ‘ଦାନା’ର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ସାମ୍ଭାବ୍ୟ ବାତ୍ୟା ସ୍ଥିତିର ମୁକାବିଲା ପାଇଁ ପ୍ରଭାବିତ ହେବାକୁ ଥିବା ଜିଲ୍ଲାକୁ ବରିଷ୍ଠ ଆଇଏଏସ ଅଧିକାରୀଙ୍କୁ ପଠାଯିବ । ବାତ୍ୟାର ଚିତ୍ର କ୍ରମଶଃ ସ୍ପଷ୍ଟ ହେବା ପରେ ସରକାର ମୁକାବିଲା ରଣନୀତିକୁ ତ୍ବରାନ୍ବିତ କରିବେ । ସ୍ଥାନାନ୍ତରଣ, ଆଶ୍ରୟସ୍ଥଳୀରେ ଥଇଥାନ, ସେଠାରେ ସମସ୍ତ ବ୍ୟବସ୍ଥା ଗ୍ରହଣ କରିବା, ଉଦ୍ଧାର ଓ ରିଲିଫ ଆଦି ବ୍ୟବସ୍ଥାକୁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତ କରାଯାଉଛି ।
ସମ୍ଭାବ୍ୟ ବାତ୍ୟା ପାଇଁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ୟ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି । ସମ୍ଭାବ୍ୟ ବାତ୍ୟାର ଗତିପଥ ଓ ପାଣିପାଗ ବିଭାଗର ସମସ୍ତ ସୂଚନା ଉପରେ ତୀକ୍ଷ୍ଣ ନଜର ରଖୁଛି ଏହି କଣ୍ଟ୍ରୋଲ ରୁମ୍ । ଏହା ସହ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ମଧ୍ୟ ହେବାକୁ ଯାଉଛି । ଏଥିରେ ତମାମ ବରିଷ୍ଠ ଅଧିକାରୀ ଓ ପ୍ରଭାବିତ ହେବା ତାଲିକାରେ ଥିବା ଜିଲ୍ଲାର ଅଧିକାରୀମାନେ ସାମିଲ ହେବେ ।
ପ୍ରକାଶ ଯେ ଆଜି ସକାଳେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେ ତ୍ରସୃଷ୍ଟି ହୋଇଛି। ଆସନ୍ତାକାଲି ଏହା ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବ। ୨୩ ତାରିଖରେ ଏହା ବାତ୍ୟାର ରୂପ ନେବ। ୨୪ ତାରିଖ ସକାଳେ ସମ୍ଭାବ୍ୟ ବାତ୍ୟାଟି ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହି ସମ୍ଭାବ୍ୟ ବାତ୍ୟା ନାଁ 'ଦାନା' ରଖାଯାଇଛି। ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବାତ୍ୟାର ରୂପ ନେବା ପରେ ଆସନ୍ତା ୨୩ ତାରିଖ ଏବଂ ୨୪ ତାରିଖ ମଧ୍ୟରାତ୍ରରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ପାରାଦୀପ ଏବଂ ବାଲେଶ୍ଵର ମଧ୍ୟରେ ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ କରିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ଏହା ସହିତ ବାତ୍ୟାର ଗତିପଥ କିପରି ରହିବ ତାହା ମଧ୍ୟ ବିଭାଗ ପକ୍ଷରୁ ଦର୍ଶାଯାଇଛି। ତେବେ ଲଘୁଚାପ ଅବପାତର ରୂପ ନେବା ପରେ ଲ୍ୟାଣ୍ଡଫଲର ପ୍ରକୃତ ସ୍ଥାନ ଜଣାପଡ଼ିବ ବୋଲି କୁହାଯାଇଛି।
Powered by Froala Editor