ବିଦ୍ୟୁତ ବଣ୍ଟନ ରକ୍ଷଣାବେକ୍ଷଣରେ ନୂତନ ବୈଷୟିକ ଜ୍ଞାନକୌଶଳ ଆରମ୍ଭ କଲା ଟିପିସିଓଡିଏଲ୍
ଭୁବନେଶ୍ୱର : ଗତ କିଛିମାସ ମଧ୍ୟରେ ଟାଟା ପାୱାର ସେଣ୍ଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍) କେତେକ ଚ୍ୟାଲେଞ୍ଜର ସାମ୍ନା କରିଛି । ‘ୟାସ୍’ ବାତ୍ୟା, ନିୟମିତ କାଳବୈଶାଖୀ ଓ ମହାମାରୀ କୋଭିଡ୍ର ଦ୍ୱିତୀୟ ଲହର ମଧ୍ୟରେ କମ୍ପାନୀ ଏହାର ଉପଭୋକ୍ତାମାନଙ୍କୁ ୨୪ଢ୭ ବିଦ୍ୟୁତ ଯୋଗାଇବା ଉପରେ ଧ୍ୟାନ କେନ୍ଦ୍ରୀତ କରିଛି ।
ଟିପିସିଓଡିଏଲ୍ ଏହାର ସମ୍ମାନିତ ଗ୍ରାହକଙ୍କୁ ନିର୍ଭରଯୋଗ୍ୟ ବିଦ୍ୟୁତ ଯୋଗାଇବା ପାଇଁ ଏହାର ବିସ୍ତୃତ ନେଟୱର୍କର ନିୟମିତ ଯୋଜନାବଦ୍ଧ ରକ୍ଷଣାବେକ୍ଷଣ କରିଆସୁଛି । କିନ୍ତୁ ବ୍ରେକଡାଉନ୍ /ବାଧ୍ୟତାମୂଳକ ଅଘଟଣକୁ ରୋକିବା ଏବଂ ଗ୍ରାହକଙ୍କ ସମସ୍ୟା ହ୍ରାସ ନିମନ୍ତେ ଏହା ସ୍ଥିତିଭିତ୍ତିକ ରକ୍ଷଣାବେକ୍ଷଣ କରୁଛି । ଯନ୍ତ୍ରପାତିର ସ୍ୱାସ୍ଥ୍ୟ ଅବସ୍ଥା ଜାଣିବା ଓ ଏହାର ମରାମତିର ଆବଶ୍ୟକତା ଚିହ୍ନଟ କରାଯାଉଛି । \"ଥର୍ମାଲ୍ ଇମେଜିଙ୍ଗ୍ କ୍ୟାମେରା\' ମାଧ୍ୟମରେ ଯନ୍ତ୍ରପାତିର ଥର୍ମାଲ୍ ସ୍କାନିଂ କରାଯାଇଥାଏ । ସେହିପରି ଥର୍ମାଲ୍ ଇମେଜିଙ୍ଗ୍ କ୍ୟାମେରା ଦ୍ୱାରା ହଟ୍ସ୍ପଟ୍ କିମ୍ବା ଯନ୍ତ୍ରପାତିର ଅତ୍ୟଧିକ ଗରମ ଯୋଗୁ ନେଟୱର୍କରେ ସମସ୍ୟା ସୃଷ୍ଟିହେବାକୁ ଥିବା ସ୍ଥାନଗୁଡ଼ିକ ଚିହ୍ନଟ କରାଯାଇଥାଏ । ଏହି ହଟ୍ସ୍ପଟ୍ଗୁଡ଼ିକ ଆଗୁଆ ଭଲ ଭାବେ ଚିହ୍ନଟ କରାଯିବା ସହ ଉପଯୁକ୍ତ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଥାଏ ଯାହା ବିଦ୍ୟୁତ୍ ଯୋଗାଣରେ ସମ୍ଭାବ୍ୟ ପ୍ରତିବନ୍ଧକକୁ ଦୂର କରିବାରେ ସାହାଯ୍ୟ କରିଥାଏ ।
ଭୁବନେଶ୍ୱରର ୩ଟି ଡିଭିଜନରେ ସ୍ଥିତି ଆଧାରିତ ୩୩ କେଭି ଓ ୧୧ କେଭି ନେଟୱର୍କର ରକ୍ଷଣାବେକ୍ଷଣ ଆରମ୍ଭ ହୋଇଛି । ଥର୍ମାଲ୍ ସ୍କାନିଂ ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରି ସମୁଦାୟ ୨୧୭୪ ବିତରଣ ଟ୍ରାନ୍ସଫର୍ମର ଓ ୧୧କେଭି ଫିଡରର ୧୦୫୪ କିଲୋମିଟର ଲାଇନ ଥର୍ମାଲ ଇମେଜିଙ୍ଗ କ୍ୟାମେରା ମାଧ୍ୟମରେ ସ୍କାନ କରାଯାଇଥିଲା । ଏହାଦ୍ୱାରା ୧୭୮୦ ହଟ୍ସ୍ପଟ୍ ଚିହ୍ନଟ କରାଯାଇଥିଲା । ଏହି ହଟ୍ସ୍ପଟ୍ଗୁଡ଼ିକରେ ୧୦୦ ଡିଗ୍ରୀ ସେଲ୍ସିୟସ୍ରୁ ଅଧିକ ତାପମାତ୍ରା ରହୁଥିଲା । ସମ୍ପୃକ୍ତ ରକ୍ଷଣାବେକ୍ଷଣ ଟିମ୍ ପକ୍ଷରୁ ଏହି ସ୍ଥାନଗୁଡ଼ିକରେ ଉପଯୁକ୍ତ ମରାମତି କରାଯାଇଛି । ଫଳରେ ବିଦ୍ୟୁତ ଯନ୍ତ୍ରପାତିର ବିଫଳତାକୁ ରୋକାଯାଇପାରିଛି । ଏହି ପ୍ରକ୍ରିୟାର ଫଟୋଚିତ୍ର ନିମ୍ନରେ ଦିଆଯାଇଛି ।
ଥର୍ମାଲ୍ ସ୍କାନିଂ ପାଇଁ ଅତ୍ୟାବଶ୍ୟକ ସେବା ଯୋଗାଉଥିବା ସ୍ଥାନଗୁଡ଼ିକ ପ୍ରାଥମିକତା ଭିତ୍ତିରେ ଚିହ୍ନଟ କରାଯାଇଥିଲା । ସେଗୁଡ଼ିକ ହେଲା କୋଭିଡ୍ ହସ୍ପିଟାଲ, ଅକ୍ସିଜେନ୍ ପ୍ଲାଣ୍ଟ, ଟିକାକରଣ କେନ୍ଦ୍ର ଓ କ୍ୱାରାଣ୍ଟାଇନ୍ କେନ୍ଦ୍ର ଇତ୍ୟାଦି ।
ଟିପିସିଓଡିଏଲ୍ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ମାଧ୍ୟମରେ ବିଶ୍ୱସନୀୟତା ବୃଦ୍ଧି କରିବାକୁ ଓ ଏହା ଦ୍ୱାରା ଗ୍ରାହକଙ୍କୁ ଉତ୍ତମ ସେବା ଯୋଗାଇଦେବାକୁ ସଂକଳ୍ପବଦ୍ଧ ।
Powered by Froala Editor