ବୃଦ୍ଧ ବସିବ, ଯୁବକ ଦୌଡ଼ିବ: ଭାଷ୍କର ମଢେ଼ଇ
ଭୁବନେଶ୍ୱର: ନିର୍ବାଚନ ପରେ ପରେ ବିଜେପି ଓ ବିଜେଡି ନେତାଙ୍କ ମଧ୍ୟରେ ଟାର୍ଗେଟ ରାଜନୀତି ଟିକେ ଅଧିକ ହୋଇଯାଇଛି । ପ୍ରତ୍ୟେକ ଦିନ ଦୁଇ ଦଳ ମଧ୍ୟରେ କଥା କଟାକଟି ହେଉଛି । ଗତ କିଛି ଦିନ ହେଲା ଦଳ ଭାଙ୍ଗିବାକୁ ନେଇ ଉଭୟ ଦଳର ନେତାଙ୍କ ମଧ୍ୟରେ ତୁତୁମେଁମେଁ ଚାଲିଛି । ଦିନକ ପୂର୍ବରୁ ବିଜେପି ରାଜ୍ୟସଭା ମନମୋହନ ସାମଲ ବିଜେଡି ଘର ଖାଲି ହୋଇଯିବ ବୋଲି କହିଥିବାବେବେଳ ଆଜି ବିଧାୟକ ଭାଷ୍କର ମଢେ଼ଇ ବି ସମାନ କଥା କହିଛନ୍ତି । ଏଥିସହ ଆମ ଦଳ ଅର୍ଥାତ ବିଜେପି ଯୁବକ ହୋଇଥିବାବେଳେ ବିଜେଡି ବୃଦ୍ଧ ହୋଇଯାଇଥିବା କହିଛନ୍ତି ।
ବିଧାୟକ ଶ୍ରୀ ମଢେ଼ଇ କହିଛନ୍ତି ଯେ ବିଜେଡି ଘର ଖାଲି ହୋଇଯିବ । ବହୁ ବିଜେଡି ନେତା ଓ ବିଧାୟକ ଏବେ ବିଜେପି ସମ୍ପର୍କରେ ଅଛନ୍ତି । ସେମାନେ ବିଜେପିରେ ମିଶିବାକୁ ଚାହୁଁଛନ୍ତି । ଆମେ ଏବେ ସରକାରରେ ଅଛୁ । ଆମ ନେତା କାହିଁକି ବିଜେଡି ସମ୍ପର୍କରେ ରହିବେ । ଆମ ଦଳ ଯୁବକ । ବିଜେଡି ହେଲା ବୃଦ୍ଧ । ବୃଦ୍ଧ ବସିବ, ଯୁବକ ଦୌଡ଼ିବ ବୋଲି ସେ କହିଛନ୍ତି ।
ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଥିଲେ, ରାଜ୍ୟରେ ବିଜେପି ସରକାର ଆସିବା ପରେ ତଥା ନିର୍ବାଚନ ସମୟରେ ଅନେକ ବିଜେଡି ନେତା ଆସି ବିଜେପି ରେ ଯୋଗ ଦେଇଛନ୍ତି। ଏହି ଧାରା ଆଗକୁ ଜାରି ରହିବ।ସେ କହିଥିଲେ, ‘ବିଜେଡିର ଅନେକ ନେତା ବିଜେପି ରେ ମିଶିବା ଲାଗି ଆବେଦନ କରିଛନ୍ତି। ଏପରି ଜାରି ରହିଲେ ତାଙ୍କ ଦଳ ଶୂନ୍ୟ ହୋଇଯିବ। ନବୀନଙ୍କ ନିର୍ବାଚନ ମଣ୍ଡଳୀରୁ ପଞ୍ଚାୟତ ପ୍ରତିନିଧି ଆସି ବିଜେପି ରେ ମିଶିଲେ, ୨ ରାଜ୍ୟ ସଭା ଏମ୍ପି ମଧ୍ୟ ବିଜେପି ରେ ମିଶିଲେଣି। ଆଗକୁ ଆହୁରି ଅନେକ ନେତା ମିଶିବେ। ସେମାନେ ନିଜ ଇଚ୍ଛାରେ ଭାଜପାରେ ମିଶିବାକୁ ନିବେଦନ କରୁଛନ୍ତି। ତେବେ ଯଦି ଏପରି ଧାରା ଲାଗି ରହେ ବିଜେଡି ଶେଷ ହୋଇଯିବ”।
ଦୀର୍ଘ ୨୫ ବର୍ଷ ଶାସନରେ ରହିବା ପରେ ବିଜୁ ଜନତା ଦଳ(ବିଜେଡି) ପ୍ରଥମଥର ପାଇଁ କ୍ଷମତାଚ୍ୟୁତ ହୋଇଛି। ନିର୍ବାଚନ ସମୟରେ ଅନେକ ନେତା ଟିକେଟ ନ ପାଇ ଦଳଛାଡି ଭାଜପାରେ ମିଶିଥିଲେ। ଏଥିରେ ସମୀର ଦାଶଙ୍କ ପରି ବହୁ ବରିଷ୍ଠ ନେତା ଥିଲେ। ତେବେ ନିର୍ବାଚନରେ ପରାଜୟ ପରେ ଦଳ ଭିତରେ ଅନ୍ତଃକନ୍ଦଳ ବଢୁଥିବା ଚର୍ଚ୍ଚା ଜୋର ଧରିଛି। ଏହାରି ମଧ୍ୟରେ ଭାଜପା ମୁଖ୍ୟ ମନମୋହନଙ୍କ ଏପରି ବୟାନ ରାଜ୍ୟ ରାଜନୀତିରେ ହଲ୍ଚଲ୍ ସୃଷ୍ଟି କରିଛି।
Powered by Froala Editor