ଆଜି ଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ରୋଡ୍ ସୋ
ଭୁବନେଶ୍ୱର: ଗତକାଲିଠୁ ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଦେଶ ବିଦେଶର ଉଦ୍ୟୋଗୀଙ୍କ ସହ ଆଲୋଚନା କରି ଓଡ଼ିଶାରେ ପୁଞ୍ଜି ନିବେଶର ପ୍ରସ୍ତାବ ଦେବା ତାଙ୍କର ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ । ଏହି ଅବସରରେ ଆଜି ଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କର ହେବ ପ୍ରଥମ ରୋଡ୍ ସୋ’।
ମୁଖ୍ୟମନ୍ତ୍ରୀ ବିଭିନ୍ନ ଦେଶର ରାଷ୍ଟ୍ରଦୂତଙ୍କୁ ଭେଟି ବିଦେଶୀ ନିବେଶକଙ୍କୁ ଆସନ୍ତା ଜାନୁଆରୀରେ ହେବାକୁ ଯାଉଥିବା ଉତ୍କର୍ଷ ଓଡ଼ିଶା କନକ୍ଲେଭ ସମ୍ମିଳନୀକୁ ନିମନ୍ତ୍ରଣ କରିବେ। ଏହି ନିବେଶକ ସମ୍ମିଳନୀରେ ତାଙ୍କ ସହ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଓ ବିଭାଗୀୟ ଅଧିକାରୀମାନେ ଯୋଗ ଦେବେ ।
ଗତକାଲି ଦିଲ୍ଲୀ ଗସ୍ତ ପୂର୍ବରୁ ମୁଖ୍ୟମନ୍ତ୍ରୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଏହା ମଧ୍ୟରେ କିଛି ଉଦ୍ୟୋଗୀଙ୍କ ଆଲୋଚନା ସରିଛି। ଗତ ଶହେ ଦିନ ଭିତରେ ୪୫ ହଜାର କୋଟିର ପୁଞ୍ଜି ଓଡ଼ିଶାକୁ ଆସିସାରିଛି। ୨୦୨୫ ଜାନୁଆରୀରେ ଉତ୍କର୍ଷ ଓଡ଼ିଶା, ମେକ୍ ଇନ୍ ଓଡ଼ିଶା କନକ୍ଲେଭ ଆୟୋଜନ ହେବ। ଏହା ଜାନୁଆରୀ ୨୮ ଓ ୨୯ ତାରିଖ ଦୁଇ ଦିନ ଧରି ଚାଲିବ।
ଏବେ ୨ ଦିନିଆ ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ବିଭିନ୍ନ ନିବେଶକଙ୍କ ସହ ୱାନ୍ ଟୁ ୱାନ୍ ଆଲୋଚନା କରିବେ ବୋଲି କହିଛନ୍ତି । ରାଜ୍ୟରେ ୫ ବର୍ଷରେ ୫ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଲକ୍ଷ୍ୟ ରଖାଯାଇଛି।
ବିଶେଷକରି ଫୁଡ୍ ପ୍ରୋସେସିଂ, ଆଇଟି, କେମିକାଲ, ପେଟ୍ରୋ କେମିକାଲ କ୍ଷେତ୍ରରେ ପୁଞ୍ଜିନିବେଶ ଉପରେ ପ୍ରାଥମିକତା ଦିଆଯିବ । ଏଦିଗରେ ବିଭିନ୍ନ ପୁଞ୍ଜିନିବେଶକଙ୍କ ସହ ଆଲୋଚନା କରାଯିବ । ଓଡ଼ିଶାରେ ପୁଞ୍ଜି ଲଗାଣ ତଥା ଶିଳ୍ପ ପ୍ରତିଷ୍ଠା ସମ୍ବନ୍ଧରେ ଥିବା ସକରାତ୍ମକ ଇକୋସିଷ୍ଟମ ସମ୍ବନ୍ଧରେ ମୁଖ୍ୟମନ୍ତ୍ରୀ ଅବଗତ କରାଇବେ ।
ଆସନ୍ତାବର୍ଷ ଜାନୁୟାରୀ ୨୮ ଓ ୨୯ତାରିଖରେ ଉତ୍କର୍ଷ ଓଡ଼ିଶା-୨୦୨୫ କନକ୍ଲେଭ ପାଇଁ ଦିନ ଧାର୍ୟ୍ୟ ହୋଇଛି । ବିଜେଡି ସରକାରଙ୍କ ‘ମେକ୍ ଇନ୍ ଓଡ଼ିଶା’ର ନାଁ ପରିବର୍ତ୍ତନ କରି ରାଜ୍ୟର ବିଜେପି ସରକାର ଏହାକୁ ‘ଉତ୍କର୍ଷ ଓଡ଼ିଶା’ର ନାମକରଣ କରିଛନ୍ତି ।
Powered by Froala Editor