ଛତୁଆ ବଦଳରେ ପିଲାଙ୍କୁ ମିଳିପାରେ ମାଣ୍ଡିଆ
ମାଣ୍ଡିଆ ନେଇପାରେ ଛତୁଆରେ ଜାଗା । ଖରାପ ମାନର ଛତୁଆକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଛତୁଆ ବଦଳରେ ଆଞ୍ଚଳିକ ଭିତ୍ତିରେ ଉପଲବ୍ଧ ମାଣ୍ଡିଆ ଭଳି ମିଲେଟ୍ ଜାତୀୟ ଖାଦ୍ୟ ଯୋଗାଇ ଦେବାକୁ ଚିନ୍ତା କରୁଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ପୋଷଣ ମାସ ପାଳନର ରାଜ୍ୟ ସ୍ତରୀୟ ସମାରୋହରେ ଯୋଗ ଦେଇ ଏ କଥା କହିଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।
ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଆଗକୁ ଛତୁଆ ବଦଳରେ ମାଣ୍ଡିଆ ଦେବା ପାଇଁ ଚିନ୍ତା କରୁଛି ବିଭାଗ । ସବୁଆଡେ ଛତୁଆ ନୁହଁ, ଆଞ୍ଚଳିକ ଆବଶ୍ୟକତା ଅନୁଯାୟୀ, ପିଲାଙ୍କୁ ଖାଦ୍ୟ ଦିଆଯିବ । ଖାସ କରି ଖରାପ ଛତୁଆ ବିଭାଗ ପାଇଁ ସାଜିଛି ମୁଣ୍ଡବ୍ୟଥାର କାରଣ । ଖରାପ ଛତୁଆକୁ ନେଇ ବିଭାଗ ନିନ୍ଦା ସହୁଛି । ପୃଷ୍ଟିକର ଛତୁଆ କେମିତି ତିଆରି ହେବ । ସେନେଇ ବିଭାଗ ଆଲୋଚନା କରୁଛି । ଖୁବଶୀଘ୍ର ଏଦିଗରେ କିପରି ପଦକ୍ଷେପ ନିଆଯିବ । ଅପପୃଷ୍ଟି ମୁକ୍ତ ଓଡିଶା ଗଠନ କରିବାକୁ ବିଭାଗ ପ୍ରତିଶୃତିବଦ୍ଧ ବୋଲି ପ୍ରଭାତୀ କହିଛନ୍ତି। ଆଞ୍ଚଳିକତା ଭିତ୍ତିରେ ରୁଚିକର ଏବଂ ଉପଲବ୍ଧତା ଅନୁସାରେ ସେମାନଙ୍କୁ ସୁଷମ ଓ ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯିବ। ମାଣ୍ଡିଆ, ବାଜରା ଭଳି ଖାଦ୍ୟଶସ୍ୟ ଦିଆଯାଇ ପାରିବ ବୋଲି କହିଛନ୍ତି ପ୍ରଭାତୀ।
ଗତ ଅଗଷ୍ଟ ୩୧ ତାରିଖରେ ବିଧାନସଭାରେ ଛତୁଆର ମାନକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଥିଲେ ଉଭୟ ଶାସକ ଓ ବିରୋଧୀ ସଦସ୍ୟ। ଏହାପରେ ଘଟଣାର ଯାଞ୍ଚ କରି ବିଧାନସଭାକୁ ତଦନ୍ତ ରିପୋର୍ଟ ଦେବାକୁ ବାଚସ୍ପତି ନିର୍ଦ୍ଦେଶ ମଧ୍ୟ ଦେଇଥିଲେ।
Powered by Froala Editor