ତାମିଲନାଡୁ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୁଖ୍ୟମନ୍ତ୍ରୀଙ୍କ ପୁଅ
ଡିଏମକେ ନେତୃତ୍ୱାଧୀନ ତାମିଲନାଡୁ ସରକାରରେ କ୍ରୀଡ଼ା ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯାଇଛି। ତାମିଲନାଡୁ ମୁଖ୍ୟମନ୍ତ୍ରୀ ତାଙ୍କ ପୁଅ ଉଦୟନିଧିଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି ଦେବାର ଦିନକ ପରେ ରବିବାର ରାଜ୍ୟପାଳ ଆର୍.ଏନ୍. ରବି ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ତେବେ ଏହା କେବଳ ଏକ ପଦବୀ ନୁହେଁ, ଅତିରିକ୍ତ ଦାୟିତ୍ୱ ବୋଲି ଉଦୟନିଧି କହିଛନ୍ତି। କ୍ୟାବିନେଟ ସମ୍ପ୍ରସାରଣକୁ ଭାଜପା ସମାଲୋଚନା କରିଥିବା ବେଳେ, ଉଦୟନିଧି ନିଜ କାର୍ଯ୍ୟ ଜରିଆରେ ସମାଲୋଚନାର ଜବାବ ଦେବେ ବୋଲି କହିଛନ୍ତି।
ସେହିପରି ପୂର୍ବତନ ପରିବହନ ମନ୍ତ୍ରୀ ସେନ୍ଥିଲ ବାଲାଜୀ ପୁଣିଥରେ କ୍ୟାବିନେଟରେ ସାମିଲ ହୋଇଛନ୍ତି। ଦୁଇ ଦିନ ପୂର୍ବେ ମନି ଲଣ୍ଡରିଂ ମାମଲାରେ ସେ ଜାମିନ ପାଇଥିଲେ। ଭି. ସେନ୍ଥିଲ ପୁନର୍ବାର ମନ୍ତ୍ରିମଣ୍ଡଳକୁ ଫେରିଥିବାବେଳେ ତାଙ୍କୁ ବିଦ୍ୟୁତ୍ ଏବଂ ଅବକାରୀ ବିଭାଗ ମିଳିଛି। ସେହିପରି ଡ. ଗୋଭି ଚେଝିଆନ୍ଙ୍କୁ ଉଚ୍ଚଶିକ୍ଷା ଏବଂ ଆର୍. ରାଜେନ୍ଦ୍ରନ୍ଙ୍କୁ ପର୍ଯ୍ୟଟନ ବିଭାଗ ଦିଆଯାଇଛି। ନୂଆ ମନ୍ତ୍ରୀମାନେ ରାଜଭବନରେ ଶପଥ ଗ୍ରହଣ କରିଛନ୍ତି। ଏସ୍.ଏମ୍. ନାସାର ସଂଖ୍ୟାଲଘୁ କଲ୍ୟାଣ ଏବଂ ପ୍ରବାସୀ ତାମିଲ କଲ୍ୟାଣ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ପୂର୍ବରୁ ସେ ଷ୍ଟାଲିନ୍ଙ୍କ କ୍ୟାବିନେଟରେ ଦୁଗ୍ଧ ଓ ଡେଏରି ବିଭାଗ ମନ୍ତ୍ରୀ ଥିଲେ।
Powered by Froala Editor