୪ ଭିନ୍ନକ୍ଷମ ଝିଅଙ୍କ ସହ ଆତ୍ମହତ୍ୟା କରିଦେଲା ଅସହାୟ ବାପା
ଏକ ସଙ୍ଗେ ବନ୍ଦ ଘରୁ ବାପା ଓ ୪ ଝିଅଙ୍କ ମୃତଦେହ ଉଦ୍ଧାର ହୋଇଛି। ଏପରି ଏକ ହୃଦୟ ବିଦାରକ ଘଟଣା ରାଜଧାନୀ ଦିଲ୍ଲୀରେ ଘଟିଛି। ଦିଲ୍ଲୀର ରିଙ୍ଗପୁରୀ ଅଞ୍ଚଳରେ ଏଭଳି ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି । ମୃତକ ଜଣକ ବିହାର ଅଞ୍ଚଳର ହୀରାଲାଲ ବୋଲି ପୁଲିସ ଜାଣିବାକୁ ପାଇଛି ।
ଦିଲ୍ଲୀରେ ରହୁଥିବା ହୀରାଲାଲ ଜଣେ କାର୍ପେଣ୍ଟର ଭାବେ କାମ କରନ୍ତି । ଘରେ ପତ୍ନୀ ଓ ୪ ଭିନ୍ନକ୍ଷମ ଝିଅ ରହୁଥିଲେ। ପିଲାଙ୍କ ମଧ୍ୟରୁ କାହା ଆଖିକୁ ଦେଖା ଯାଉ ନ ଥିବା ବେଳେ କାହା ହାତ କାମ କରୁ ନ ଥିଲା ତ କିଏ ଚାଲିବାକୁ ଅକ୍ଷମ । ସେମାନଙ୍କ ବୟସ ୮ ବର୍ଷରୁ ୧୮ ବର୍ଷ ମଧ୍ୟରେ ବୋଲି ଜଣାଯାଇଛି । ତେଣୁ ହୀରାଲାଲଙ୍କ ପତ୍ନୀ ପିଲାଙ୍କ ସବୁ କାମ କରିଥାନ୍ତି।
ମାତ୍ର ହୀରାଲାଲଙ୍କ ମୁଣ୍ଡରେ ଚଡ଼କ ପଡ଼ିଲା ଯେତେବେଳେ ତାଙ୍କ ପତ୍ନୀ କ୍ୟାନସରରେ ଆକ୍ରାନ୍ତ ହେଲେ। ଏହାପରେ ପିଲାମାନଙ୍କ କାମ ତଥା ରୋଜଗାର କରି ପରିବାର ଚଳାଇବା ସବୁ ଦାୟିତ୍ୱ ହୀରାଲାଲଙ୍କ ମୁଣ୍ଡକୁ ଚାଲି ଆସିଲା। ତେବେ ସ୍ତ୍ରୀଙ୍କ ମୃତ୍ୟୁ ପରେ ଭାଙ୍ଗି ପଡ଼ିବା ସହ ପରିବାର ଚଳାଇବାରେ ଅକ୍ଷମ ହେବାରୁ ଏଭଳି ଚରମ ନିଷ୍ପତ୍ତି ନେଇଥିବା ଅନୁମାନ କରାଯାଉଛି ।
ଶୁକ୍ରବାର ଘରୁ ଦୁର୍ଗନ୍ଧ ଆସିବାରୁ ସ୍ଥାନୀୟ ଲୋକେ ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ଘର କବାଟ ଭାଙ୍ଗି ହୀରାଲାଲ ଓ ୪ ଝିଅଙ୍କ ମୃତଦେହ ଜବତ କରିଛି । ମୃତଦେହ ନିକଟରୁ ଏକ ସୁଇସାଇଡ୍ ନୋଟ ମଧ୍ୟ ମିଳିଛି । ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ ତଦନ୍ତ ଚଳାଇଛି ପୁଲିସ । ତେବେ ଗତ ୨୪ ତାରିଖରେ ଶେଷ ଥର ପାଇଁ ହୀରାଲାଲଙ୍କୁ ଘର ଭିତରକୁ ଯିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି ।
Powered by Froala Editor