ଜିତିଆ ପର୍ବରେ ଅଘଟଣ : ବୁଡିଗଲେ ୪୬, ମୃତକଙ୍କ ପରିବାରକୁ ୪ ଲକ୍ଷ ସହାୟତା ଘୋଷଣା
ବିହାରରେ ଜିତିଆ ପର୍ବ ପାଳନ ସମୟରେ ବିଭିନ୍ନ ସ୍ଥାନରେ ୩୭ ଜଣ ଶିଶୁଙ୍କ ସମେତ ୪୬ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ସର୍ବାଧିକ ଔରଙ୍ଗାବାଦ ଜିଲ୍ଲୀର ୧୦ ଜଣ ଅଛନ୍ତି।
ଅନ୍ୟପଟେ ଅନ୍ୟ କେତେକ ଲୋକ ମଧ୍ୟ ଗାଧୋଇବା ବେଳେ ପାଣିରେ ବୁଡି ନିଖୋଜ ଅଛନ୍ତି। ଉଦ୍ଧାରକାରୀ ଟିମ୍ ସେମାନଙ୍କୁ ଖୋଜାଖୋଜି କରୁଛି। ଏଭଳି ପରିସ୍ଥିତିରେ ମୃତ୍ୟୁସଂଖ୍ୟା ଆହୁରି ବଢିବା ନେଇ ଆଶଙ୍କା କରାଯାଉଛି।
ବିହାର ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ବିଭାଗ ର ସୂଚନା ଅନୁଯାୟୀ, ମଙ୍ଗଳବାର ଓ ବୁଧବାର ପୁରା ବିହାର ସମେତ ବିଭିନ୍ନ ରାଜ୍ୟରେ ଜିତିଆ ପର୍ବ ପାଳିତ ହୋଇଥିଲା । ଏହି ପର୍ବରେ ନିଜର ପୁତ୍ରମାନଙ୍କ ମଙ୍ଗଳ କାମନା କରି ମହିଳାମାନେ ଉପବାସ ରଖନ୍ତି ଏବଂ ବିହାର ଓ ଝାଡ଼ଖଣ୍ଡ ଭଳି ଅନେକ ରାଜ୍ୟରେ ବିଭିନ୍ନ ବିଶ୍ୱାସ ଅନୁଯାୟୀ ସେମାନେ ନଦୀ କିମ୍ବା ପୋଖରୀକୁ ଗାଧୋଇବାକୁ ମଧ୍ୟ ଯାଆନ୍ତି ।
ଦକ୍ଷିଣ ବିହାରର ଜିଲ୍ଲାଗୁଡ଼ିକରେ ସାଧାରଣତଃ ପୋଖରୀରେ କମ୍ ପାଣି ଥାଏ, କିନ୍ତୁ ବିଭାଗ ଅନୁଯାୟୀ, ଚଳିତ ବର୍ଷ ଅତ୍ୟଧିକ ବର୍ଷା ହେତୁ ପୋଖରୀରେ ପାଣି ଅଧିକ ରହିଛି । ରୋହତାସ, ଅରୱାଲ, ନାଳନ୍ଦା, ସିୱାନ ଓ ବକ୍ସର ସମେତ ରାଜ୍ୟର ଅନ୍ୟ କେତେକ ଜିଲ୍ଲାରେ ଜିତିଆ ପର୍ବରେ ଗାଧୋଉଥିବା ବେଳେ ପାଣିରେ ବୁଡ଼ି ମହିଳା ଓ ଶିଶୁଙ୍କ ମୃତ୍ୟୁ ଘଟିଛି । ଏହି ଘଟଣାକୁ ନେଇ ବିହାର ସରକାର ସହାୟତା ଘୋଷଣା କରିଛନ୍ତି । ମୃତକ ମାନଙ୍କ ପରିବାରଙ୍କୁ ୪ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି ସରକାର ।
Powered by Froala Editor