ଗୁଣବତ୍ତା ପରୀକ୍ଷଣରେ ପାରାସିଟାମଲ ସମେତ ୫୩ ଔଷଧ ଫେଲ୍
ଟାବଲେଟ୍ ଗୁଣାତ୍ମକ ପରୀକ୍ଷଣରେ ବିଫଳ ହୋଇଛି ପାରାସିଟାମଲ । ଏହା ବ୍ୟତୀତ କ୍ୟାଲସିୟମ ଏବଂ ଭିଟାମିନ୍ ଡି-୩ ସପ୍ଲିମେଣ୍ଟସ୍, ଡାଇବେଟିସ୍ ବଟିକା ଏବଂ ଉଚ୍ଚ ରକ୍ତଚାପ ଔଷଧ ସହିତ ୫୦ରୁ ଅଧିକ ଔଷଧ ନିୟନ୍ତ୍ରକଙ୍କ ଦ୍ୱାରା କରାଯାଇଥିବା ଗୁଣାତ୍ମକ ପରୀକ୍ଷଣରେ ବିଫଳ ହୋଇଛି। ଭାରତୀୟ ଔଷଧ ପ୍ରାଧିକରଣ ଦ୍ୱାରା କରାଯାଇଥିବା ମାନ ଯାଞ୍ଚ ବେଳେ ଏପରି ତଥ୍ୟ ସାମ୍ନାକୁ ଆସିଛି। ଏହି ତଥ୍ୟ ପରେ ଲୋକମାନେ ନିଜର ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି।
ଭାରତୀୟ ଡ୍ରଗ୍ ରେଗୁଲେଟର ସେଣ୍ଟ୍ରାଲ୍ ଡ୍ରଗ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ ପରୀକ୍ଷା ପାଇଁ ପ୍ରତି ମାସରେ କିଛି ଔଷଧ ଚୟନ କରିଥାଏ। ତା’ପରେ ସେସବୁର ପରୀକ୍ଷା କରାଯାଇଥାଏ। ସିଡିଏସସିଓ ତା’ର ମାସିକ ତାଲିକାରେ ପାରାସିଟାମଲ ସମେତ ମୋଟ ୫୩ଟି ଔଷଧ ଧାର୍ଯ୍ୟ ଗୁଣବତ୍ତା(ଏନଏସ୍କ୍ୟୁ)କୁ ପୂରଣ କରି ପାରୁ ନଥିବା ସତର୍କ କରାଇଛି। ଡ୍ରଗ ରେଗୁଲେଟରଙ୍କ ଯାଞ୍ଚ ବେଳେ ଭିଟାମିନ ସି ଓ ଡି ୩ ଟ୍ୟାବଲେଟ୍ସ ଶେଲକା, ଭିଟାମିନ ବି କମ୍ପ୍ଲେକ୍ସ ଓ ଭିଟାମିନ ସି ସୋଫଜେଲ୍ସ, ଆଣ୍ଟି ଏସିଡ ବା ଗ୍ୟାସ ବିରୋଧରେ ଦିଆଯାଉଥିବା ପାନ ଡି, ପାରାସିଟାମଲ ଟ୍ୟାବଲେଟ୍ସ ଆଇପି ୫୦୦ ଏମଜି, ଆଣ୍ଟି ଡାଇବେଟିକ୍ସ ଔଷଧ Glimepiride, ଉଚ୍ଚ ରକ୍ତଚାପ ପାଇଁ ଦିଆଯାଉଥିବା ଟେଲମିସାରଟନ ଭଳି ୫୩ଟି ଔଷଧ ଆବଶ୍ୟକ ଗୁଣବତ୍ତାର ମାନଦଣ୍ଡକୁ ପୂରଣ କରିପାରି ନାହାନ୍ତି।
ଏହି ଔଷଧଗୁଡିକ ହେଟେରୋ ଡ୍ରଗ୍, ଆଲକେମ୍ ଲାବୋରେଟୋରୀ, ହିନ୍ଦୁସ୍ତାନ ଆଣ୍ଟିବାୟୋଟିକ୍ସ ଲିମିଟେଡ୍ (ଏଚଏଏଲ), କର୍ଣ୍ଣାଟକ ଆଣ୍ଟିବାୟୋଟିକ୍ସ ଏବଂ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡ୍, ମେଗ୍ ଲାଇଫ ସାଇନ୍ସ,, ପ୍ୟୁର ଆଣ୍ଡ କ୍ୟୁୟର ହେଲଥକେୟାର ଭଳି ବହୁ ଅଗ୍ରଣୀ ଔଷଧ ଉତ୍ପାଦନକାରୀ କମ୍ପାନୀ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା।
Powered by Froala Editor