ବାଲେଶ୍ବର ବନ୍ୟା କ୍ଷୟକ୍ଷତି ପାଇଁ ସହାୟତା ଘୋଷଣା : ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ଘର ପାଇଁ ମିଳିବ ୧ ଲକ୍ଷ ୨୦ ହଜାର

ବାଲେଶ୍ୱର ବନ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ରାଜ୍ୟ ସରକାର ସହାୟତା ଘୋଷଣା କରିଛନ୍ତି । ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ଘର ମରାମତି ପାଇଁ ମିଳିବ ୧ ଲକ୍ଷ ୨୦ ହଜାର ଟଙ୍କା । ପକ୍କା ଘର ଆଂଶିକ ଭାଙ୍ଗିଥିଲେ ମିଳିବ ୬ ହଜାର ୫୦୦ ଟଙ୍କା । କଚ୍ଚା ଘର ଆଂଶିକ ଭାଙ୍ଗିଥିଲେ ମିଳିବ ୪ ହଜାର ଟଙ୍କା । ଭାଙ୍ଗି ଯାଇଥିବା କୁଡ଼ିଆ ଘର ୮ ହଜାର, ଗୁହାଳ ପାଇଁ ୩ ହଜାର । କ୍ଷତିଗ୍ରସ୍ତ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ସହାୟତା ଘୋଷଣା । ଅଣଜଳସେଚିତ ଅଞ୍ଚଳ ପାଇଁ ହେକ୍ଟର ପିଛା ୮ ହଜାର ୫୦୦ ଟଙ୍କା । ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୧୭ ହଜାର ଟଙ୍କା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।
ସେହିପରି ଘର ୨ଦିନ ଧରି ବନ୍ୟାଜଳରେ ବୁଡ଼ି ରହିଥିଲେ ଲୁଗାପଟା ପାଇଁ ୨୫୦୦ଟଙ୍କା, ବାସନକୁସନ ପାଇଁ ୨୫୦୦ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯିବ । ସମସ୍ତ ପ୍ରକାରର ବାରମାସୀ ଫସଲ ଜମି ପାଇଁ ହେକ୍ଟର ପିଛା ୨୨୫୦୦ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ । ଏହି ସହାୟତା ସର୍ବାଧିକ ୨ହେକ୍ଟର ଜମି ପାଇଁ ଦିଆଯିବ ।
କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ବାଲିଚର ସହାୟତା ( ଯଦି ୩ ଇଞ୍ଚରୁ ଉର୍ଦ୍ଧ ବାଲିଚର ହୋଇଥାଏ) ହେକ୍ଟର ପିଛା ୧୮,୦୦୦ ଟଙ୍କା, ସର୍ବନିମ୍ନ ୨୨୦୦ ଟଙ୍କା, ମାଛଚାଷ ପୋଖରୀର ମରାମତି ଓ ପଙ୍କ ଉଦ୍ଧାର ପାଇଁ ହେକ୍ଟର ପିଛା ୧୮,୦୦୦ ଟଙ୍କା, ସର୍ବନିମ୍ନ ୨୨୦୦ ଟଙ୍କା, ଯଦି ଚାଷ ଜମିର ଅନେକାଂଶ ଭୂସ୍ଖଳନ ଯୋଗୁଁ, ନଦୀର ଗତିପଥ ପରିବର୍ତ୍ତନ ଯୋଗୁଁ କ୍ଷୟ ହୋଇଥାଏ ତେବେ ହେକ୍ଟର ପିଛା ୪୭,୦୦୦ ଟଙ୍କା । ଏଥିପାଇଁ ଚାଷୀ ପିଛା ସର୍ବନିମ୍ନ ୫୦୦୦ ଟଙ୍କା ଆର୍ଥିକ ସହାୟତା ଦିଆଯିବ ।
ମତ୍ସ୍ୟଜୀବି ମାନଙ୍କ ଆଂଶିକ କ୍ଷତିଗ୍ରସ୍ତ ଡଙ୍ଗା ପାଇଁ ୬,୦୦୦ ଟଙ୍କା, ଆଂଶିକ କ୍ଷତିଗ୍ରସ୍ତ ଜାଲ ପାଇଁ ୩୦୦୦ ଟଙ୍କା, ସଂପୂର୍ଣ୍ଣ ଭାଙ୍ଗି ଯାଇଥିବା ଡଙ୍ଗା ପାଇଁ ୧୫,୦୦୦ ଟଙ୍କା, ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ଜାଲ ପାଇଁ ୪,୦୦୦ ଟଙ୍କା ଓ ମତ୍ସ୍ୟ ଯାଆଁଳ ଚାଷ (Fish seed farm) ର କ୍ଷତି ପାଇଁ ହେକ୍ଟର ପିଛା – ୧୦,୦୦୦ ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରାଯିବ ।
ମୃତ ଗୃହପାଳିତ ପଶୁଜନ୍ତୁ ଯଥା ମଇଁଷି, ଗାଈ ପିଛା ୩୭୫୦୦ଟଙ୍କା, ଛେଳି ଓ ମେଣ୍ଢା ପିଛା ୪ହଜାର ଟଙ୍କା, ବଳଦ ଓ ଘୋଡ଼ା ପିଛା ୩୨ହଜାର ଟଙ୍କା, ବାଛୁରୀ,ଗଧ ଓ ଖଚର ପିଛା ୨୦ହଜାର ଟଙ୍କା ଆର୍ଥିକ ସହାୟତା ଚାଷୀଙ୍କୁ ଦିଆଯିବ । ଏହି ସହାୟତା ରାଶି ଗୋଟିଏ ପରିବାରର ୩ଟି ବଡ଼ ଦୁଗ୍ଧ ପ୍ରଦାନକାରୀ ପଶୁ ବା ୩୦ଟି ଦୁଗ୍ଧ ପ୍ରଦାନକାରୀ ଛୋଟ ପଶୁ କିମ୍ବା ୩ଟି ବୃହତ୍ ଭାରବାହୀ ପଶୁ ବା ୬ଟି ଭାରବାହୀ ଛୋଟ ପଶୁଙ୍କ ପର୍ଯ୍ୟନ୍ତ ସୀମିତ ରହିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।
Powered by Froala Editor