ସଫେଇ କର୍ମଚାରୀଙ୍କ ଆନ୍ଦୋଳନ: କ୍ୟାପିଟାଲ ହସ୍ପିଟାଲରେ ଚାରିଆଡେ ପଡିଛି କୁଢ କୁଢ ଆବର୍ଜନା
ଭୁବନେଶ୍ଵର: ଦୁର୍ଗନ୍ଧରେ ଫାଟି ପଡୁଛି କ୍ୟାପିଟାଲ ହସ୍ପିଟାଲ । ଚାରିଆଡେ ପଡିଛି କୁଢ କୁଢ ଆବର୍ଜନା। କ୍ୟାପିଟାଲ ହସ୍ପିଟାଲର ସଫେଇ କର୍ମଚାରୀମାନେ ଆନ୍ଦୋଳନ କରିଥିବା ଯୋଗୁଁ ଏଭଳି କିଛି ସ୍ଥିତି ଉପୁଜିଛି। ସୋମବାରଠାରୁ ସେମାନେ ଆନ୍ଦୋଳନ ଚଳାଇଛନ୍ତି। ପୂଜା ବୋନସ୍ ଏବଂ ୨୬ ଦିନ ବଦଳରେ ୩୦ ଦିନର ଦରମା ଦାବିରେ ଆନ୍ଦୋଳନରେ ବସିଛନ୍ତି ସଫେଇ କର୍ମଚାରୀ। କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସେମାନେ ଧାରଣା ଦେଇଛନ୍ତି। ଫଳରେ ହସ୍ପିଟାଲର ସଫେଇ କାମ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ଅସ୍ଵାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି। ଚାରିଆଡେ ଆବର୍ଜନା ପଡିରହିଥିବାବେଳେ ହସ୍ପିଟାଲ ପରିସର ଦୁର୍ବନ୍ଧରେ ଫାଟି ପଡୁଛି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନରୁ ହଟିବେ ନାହିଁ ବୋଲି ଚେତାବନୀ ଦିଆଯାଇଛି।
Powered by Froala Editor