ତିରୁପତି ଲଡ଼ୁ ବିବାଦ : ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଜଗନ

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଦାବି କରିଛନ୍ତି ଯେ ତିରୁପତି ଲଡୁ ପ୍ରସାଦରେ ପଶୁ ଚର୍ବି ମିଶ୍ରିତ ହୋଇଛି। ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ ରେଡ୍ଡୀ ମୁହାଁମୁହିଁ ହୋଇଛନ୍ତି। ବିବାଦ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନ ମୋହନ ରେଡ୍ଡୀ।
ଏହି ଚିଠିରେ ସେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି) ର ପବିତ୍ରତାକୁ ଅପବିତ୍ର କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି। କେବଳ ଏତିକି ନୁହେଁ, ନାଇଡୁଙ୍କୁ ତାଗିଦ କରିବା ସହ ସତ୍ୟ ପ୍ରକାଶ କରିବାକୁ ଜଗନ୍ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ସେ କହିଛନ୍ତି, "ଆନ୍ଧ୍ରପ୍ରଦେଶରେ ଘଟୁଥିବା ଦୁଃଖଦ ଘଟଣା ପ୍ରତି ଆପଣଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ମୁଁ ଏହି ଚିଠି ଲେଖୁଛି।
ରେଡ୍ଡୀ କହିଛନ୍ତି, "ନାଇଡୁଙ୍କ ବେପରୁଆ ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବିବୃତ୍ତି ଭକ୍ତଙ୍କ ଭାବନାକୁ ଆଘାତ ଦେଇଛି ଏବଂ ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି) ବୋର୍ଡର ପବିତ୍ରତାକୁ କ୍ଷୁର୍ଣ୍ଣ କରିଛି।"
ସେ ଚିଠିରେ ଆହୁରି କହିଛନ୍ତି ଯେ, ପ୍ରଭୁ ଭେଙ୍କଟେଶ୍ୱରଙ୍କୁ କେବଳ ଭାରତୀୟମାନେ ପୂଜା କରନ୍ତିନି, ବିଦେଶରେ ମଧ୍ୟ କୋଟି କୋଟି ହିନ୍ଦୁ ଭକ୍ତ ଆରାଧ୍ୟ ମଣନ୍ତି। ଯଦି ଏପରି ସମ୍ବେଦନଶୀଳ ପ୍ରସଙ୍ଗକୁ ଅତି ସାବଧାନତାର ସହ ନିୟନ୍ତ୍ରଣ କରାନଯାଏ, ତେବେ ଏହି ମିଛ ବ୍ୟାପକ କ୍ଷତି ପହଞ୍ଚାଇପାରେ।
Powered by Froala Editor