ସାମ୍ନାକୁ ଆସିଲା ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ୟାତନା ଦିଆଯିବା ଘଟଣାର ଆଉ ଏକ ଭିଡିଓ
ଭୁବନେଶ୍ବର: ସାମ୍ନାକୁ ଆସିଲା ମେଜରଙ୍କ ବାନ୍ଧବୀଙ୍କ ଘଟଣା ଦିନ ରାତିରେ ରେକର୍ଡ କରିଥିବା ଆଉ ଏକ ଭିଡିଓ। ମେଜର ନିଜେ ଏତଲା ଲେଖୁଥିବା ବେଳେ ତାଙ୍କ ବାନ୍ଧବୀଙ୍କୁ ଓଡ଼ିଆ ଜାଣିନଥିବାରୁ ଗାଳି ଗୁଳଜ କରୁଛି ପୋଲିସ। ପୋଲିସର ବ୍ୟବହାର ନେଇ ଏହି ଭିଡ଼ିଓରେ ପ୍ରଶ୍ନ ଉଠାଇଛନ୍ତି ଯୁବତୀ। ରାତି ଅଧରେ ଯୁବତୀ ଜଣଙ୍କ ଅସହାୟ ହୋଇ ଭିଡିଓ କରୁଥିବା ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।ଅଭିଯୋଗ ଅନୁସାରେ ଶନିବାର ବିଳମ୍ବିତ ରାତି ୧୨ଟା ୩୦ରେ ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହୋଇଥିଲେ ମେଜର ଗୁରବନ୍ତ ସିଂ ଓ ତାଙ୍କ ବାନ୍ଧବୀ । ମେଜର ଗୁରୁବନ୍ତ ଓ ତାଙ୍କ ବାନ୍ଧବୀ ଅଙ୍କିତା ପଟିଆର ଏକ ରେସ୍ତେରାଁରୁ ଆସୁଥିବା ବେଳେ ରାସ୍ତାରେ ଏକ କାରକୁ ଓଭରଟେକ କରିବାପରେ ପଛରୁ ଆସୁଥିବା ଗାଡ଼ିରୁ କିଛି ଯୁବକ ସେମାନଙ୍କୁ ଅଟକାଇ ଧକ୍କା ମାରିବା ସହ ଧମକ ଦେଇଥିଲେ ।
ଏନେଇ ମେଜର ଓ ତାଙ୍କ ବାନ୍ଧବୀ ଭରତପୁର ଥାନାକୁ ଅଭିଯୋଗ କରିବାକୁ ଯାଇଥିଲେ । ଜଣେ ମହିଳା ଅଫିସର ବିନା ୟୁନିଫର୍ମରେ ତାଙ୍କ ନିକଟକୁ ଆସିଥିଲେ । ଅଭିଯୋଗ ରଖିବାକୁ ତାଙ୍କୁ କହିବାପରେ ସେ ଶୁଣିନଥିଲେ । ଏନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହେବା ପରେ ଗୁରୁବନ୍ତଙ୍କୁ ପ୍ୟାଣ୍ଟ ସାର୍ଟ ଖୋଲି ଥାନାରେ ବସାଇ ଦେଇଥିଲେ ।
ଅନ୍ୟପକ୍ଷରେ ଭରତପୁର ଥାନାରେ ମେଜର ଗୁରୁବଂଶ ସିଂହ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ୟାତନା ଦିଆଯିବା ଘଟଣାକୁ କଡା ନିନ୍ଦା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଥାନାରେ ଯାହା ଘଟିଲା ତାହା ଗଭୀର ଆଘାତ ଦେଇଛି। ମେଜରଙ୍କ ବାନ୍ଧବୀଙ୍କୁ ଯୌନ ନିର୍ୟାତନା ଦିଆଯାଇଛି। ଘଟଣାରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ସହ ରାଜ୍ୟରେ ଆଇନଶୃଙ୍ଖଳା ନିୟନ୍ତ୍ରଣରେ ସରକାର ବିଫଳ ହୋଇଥିବା ନବୀନ କହିଛନ୍ତି। ତୁରନ୍ତ ତଦନ୍ତ ସାରି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।
ସେପଟେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀ କରି ବର୍ଷିଛନ୍ତି। ଘଟଣାକୁ ନିନ୍ଦା କରିବା ସହ ନିଲମ୍ବନ ନୁହେଁ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି। କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିବା ପରେ ବି ଅଭିଯୁକ୍ତଙ୍କୁ ଗିରଫ କରାଯାଇନାହିଁ। ନାଇଟ୍ ପାଟ୍ରୋଲିଂ ପାଇଁ କର୍ମଚାରୀ ନଥିଲେ ସରକାର କଣ କରୁଛନ୍ତି ବୋଲି ବିଜୟ ପ୍ରଶ୍ନ କରିଛନ୍ତି। ସଂପୃକ୍ତ ଆଇଆଇସିଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।
Powered by Froala Editor