ଆର୍ମି ଅଫିସରଙ୍କୁ ମାଡ଼ ଘଟଣା: ବଦଳି ନିର୍ଦ୍ଦେଶ ପରେ ହେଲେ ନିଳମ୍ବିତ
ଭୁବନେଶ୍ୱର : ଭରତପୁର ଥାନାରେ ଆର୍ମି ଅଫିସରଙ୍କୁ ମାଡ଼ ଘଟଣା। ୫ ପୋଲିସ ଅଫିସର ନିଲମ୍ଵିତ। ୫ ଜଣଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ୟ୍ୟାନୁଷ୍ଠାନ ହୋଇଛି। ଭରତପୁର ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ର, ଏସଆଇ ବିଳାସିନୀ ପଣ୍ଡା, ଏଏସଆଇ ସଲୀଳମୟୀ ସାହୁ ଓ ସାଗରିକା ରଥ, କନେଷ୍ଟବଳ ବଳରାମ ହାଂସଦା ନିଲମ୍ବିତ ହୋଇଛନ୍ତି। ପୋଲିସ ଡିଜି ୱାଇ.ବି ଖୁରାନିଆ ନିଲମ୍ଵନ ନିର୍ଦ୍ଦେଶ ଦେଇଛନ୍ତି। ତେବେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ପରେ ଏହି ପାଞ୍ଚ ଜଣଙ୍କୁ ଗତକାଲି ରାତିରେ ବଦଳି ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ଆଜି ସକାଳୁ ସମସ୍ତଙ୍କୁ ନିଲମ୍ବିତ କରାଯାଇଥିବା ସୂଚନା ମିଳିଛି। ଦୀପକ କୁମାର ଖଣ୍ଡାୟତରାୟଙ୍କୁ ଭରତପୁର ଥାନାର ନୂଆ ଆଇଆଇସି ଦାୟିତ୍ଵ ଦିଆଯାଇଛି।
ପ୍ରକାଶ ଥାଉକି, ଆର୍ମି କ୍ୟାପ୍ଟେନ୍ ଗୁରୁଭନ୍ସ ସିଂ (ଶିଖ୍ ରେଜିମେଣ୍ଟ) ଓ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ଭରତପୁର ଥାନା ଭିତରେ ପୁଲିସ୍ କର୍ମଚାରୀଙ୍କୁ ମାରପିଟ୍ କରିଥିବା ଅଭିଯୋଗ ହୋଇଥିଲା । ପୁଲିସ୍ ଅଙ୍କିତାଙ୍କୁ ଗିରଫ କରିଥିଲା । ଏହି ଘଟଣା ଏବେ ନୂଆ ମୋଡ଼ ନେଇଛି । ଆର୍ମି ଅଫିସର ଓ ତାଙ୍କ ବାନ୍ଧବୀଙ୍କୁ ପୁଲିସ୍ ଥାନାରେ ମାଡ଼ ମାରି ରକ୍ତାକ୍ତ କରିଥିବା ଅଭିଯୋଗ ହୋଇଛି । ସେଥିପାଇଁ ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଡିଜିପି ୱାଇବି ଖୁରାନିଆ । କ୍ରାଇମ୍ବ୍ରାଞ୍ଚର ଏକ ଟିମ୍ ଥାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ‘ଓଡ଼ିଶା ଏକ୍ସ ସର୍ଭିସ୍ ମ୍ୟାନ୍ ଲିଗ୍’ (ଓଇଏସ୍ଏମ୍ଏଲ୍) ପକ୍ଷରୁ କୁହାଯାଇଛି, ଆର୍ମି ଅଫିସର ଗୁରୁଭନ୍ସ ସିଂ ଓ ତାଙ୍କ ବାନ୍ଧବୀ ଅଙ୍କିତା ଶନିବାର ରାତି ପ୍ରାୟ ୧୨ଟା ୩୦ରେ ପଟିଆରୁ ଫେରୁଥିଲେ । ପଟିଆରେ ଅଙ୍କିତାଙ୍କ ଏକ ରେସ୍ତୋରାଁ ଅଛି । ଏହି ସମୟରେ ରାସ୍ତାରେ ଯାଉଥିବା ୨ଟି କାର୍କୁ ଅତିକ୍ରମ କରି ଆଗକୁ ଯାଇଥିଲେ ଆର୍ମି ଅଫିସର । ଯେଉଁ ୨ଟି ଗାଡ଼ିକୁ ଅତିକ୍ରମ କରିଥିଲେ ତା’ର ଆରୋହୀମାନେ ଗୁରୁଭନ୍ସ ଏବଂ ଅଙ୍କିତାଙ୍କୁ ରାସ୍ତାରେ ଅଟକାଇଥିଲେ । ସେ ୨ଟି ଗାଡ଼ିରୁ କେତେଜଣ ଯୁବକ ବାହାରି ଗୁରୁଭନ୍ସଙ୍କୁ ଧକ୍କା ମାରିବା ସହ ଧମକ ଦେଇ ସେଠାରୁ ଚାଲିଯାଇଥିଲେ । ଘଟଣା ସମ୍ପର୍କରେ ଅଭିଯୋଗ କରିବା ଲାଗି ଗୁରୁଭନ୍ସ ଏବଂ ଅଙ୍କିତା ଭରତପୁର ଥାନାରେ ରାତି ପ୍ରାୟ ସାଢ଼େ ୧ଟାରେ ପହଞ୍ଚିଥିଲେ । ଥାନାରେ ଜଣେ ପୁରୁଷ କନ୍ଷ୍ଟେବଲ ବସିଥିଲେ । ସେମାନେ ତାଙ୍କ ଅଭିଯୋଗ ରଖିବା ଲାଗି କୌଣସି ଅଫିସରଙ୍କୁ ଡାକିବାକୁ କନ୍ଷ୍ଟେବଲଙ୍କୁ କହିଥିଲେ । ହେଲେ ଉକ୍ତ କନ୍ଷ୍ଟେବଲ ଜଣକ ମଦ୍ୟପାନ କରିଥିଲେ । ତାଙ୍କ ଟେବୁଲ ଉପରେ ଗ୍ଲାସ ମଧ୍ୟ ଥୁଆ ହୋଇଥିଲା । ଏହାଦେଖି ଅଙ୍କିତା ଜଣେ ମହିଳା ଅଫିସରଙ୍କୁ ଡାକନ୍ତୁ ବୋଲି କହିଥିଲେ ।
କିଛି ସମୟ ପରେ ଜଣେ ମହିଳା ଅଫିସର ବିନା ୟୁନିଫର୍ମରେ ଆସିଥିଲେ । ଆର୍ମି ଅଫିସ୍ର ଘଟଣା ବିଷୟରେ ତାଙ୍କୁ କହିଥିଲେ । ହେଲେ ସେ କିଛି ଶୁଣି ନଥିଲେ । ଏହାପରେ ଅଙ୍କିତା ସେହି ମହିଳା ଅଫିସରଙ୍କୁ କାହିଁକି ବିନା ୟୁନିଫର୍ମରେ ଅଛ ବୋଲି ପ୍ରଶ୍ନ କରିଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହାର କିଛି ସମୟ ମଧ୍ୟରେ କିଛି ପୁଲିସ୍ କର୍ମଚାରୀ ଏକ ପାଟ୍ରୋଲିଂ ଭ୍ୟାନ୍ରେ ଆସି ଥାନାରେ ପହଞ୍ଚିଥିଲେ । ସେମାନେ ମିଳିମିଶି ଗୁରୁଭନ୍ସ ଓ ଅଙ୍କିତାଙ୍କୁ ଅମାନୁଷିକ ଭାବେ ମାଡ଼ ମାରିଥିଲେ । ଅଙ୍କିତାଙ୍କୁ କୋର୍ଟଚାଲାଣ କରିଥିଲେ । ପୁଲିସ୍ ମାଡ଼ରେ ଗୁରୁତର ଗୁରୁଭନ୍ସଙ୍କୁ ଏକ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା । ରାଜଧାନୀର ଭାରତପୁର ଥାନାର ଏହି କାଣ୍ଡ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ସେନା ପକ୍ଷରୁ ଘଟଣା ସମ୍ପର୍କରେ ଟୁଇଟ୍ କରାଯାଇଛି । ପରେ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ସୋମବାର ରାତିରେ ନିର୍ଦ୍ଦେଶ ଦେଇଥିଲେ ଡିଜିପି । ମଙ୍ଗଳବାର ଅପରାହ୍ଣରେ କ୍ରାଇମ୍ବ୍ରାଞ୍ଚ ଡିଏସ୍ପି ନରେନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଏକ ୫ଜଣିଆ ଟିମ୍ ଥାନାକୁ ଯାଇଥିଲେ । ଥାନାରେ ସିସିଟିଭି ନଥିବାରୁ କ୍ରାଇମ୍ବ୍ରାଞ୍ଚ କିଛି ତଥ୍ୟ ପାଇନଥିଲେ । ଦୁଇ ଦିନ ମଧ୍ୟରେ କ୍ରାଇମ୍ବ୍ରାଞ୍ଚ ଡିଜିପିଙ୍କୁ ତଦନ୍ତ ରିପୋର୍ଟ ଦେବ ବୋଲି ଜଣାପଡ଼ିଛି । ଏହି ଘଟଣାରେ ଆର୍ମି ପକ୍ଷରୁ ଟୁଇଟ୍ ହେବା ପରେ କମିଶନରେଟ୍ ପୁଲିସ୍ ଇଜ୍ଜତର ଧଜିଆ ଉଡ଼ିଛି । ସଂପୃକ୍ତ ପୁଲିସ କର୍ମଚାରୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ପାଇଁ ସୋସିଆଲ୍ ମିଡିଆରେ ବିଭିନ୍ନ ଆର୍ମି ଅଫିସରମାନେ ଦାବି କରୁଛନ୍ତି ।
Powered by Froala Editor