ଦୁର୍ଗ-ବିଶାଖାପାଟଣା ବନ୍ଦେ ଭାରତ ଦ୍ରୁତଗାମୀ ଟ୍ରେନ ଶୁଭାରମ୍ଭ
କଣ୍ଟାବାଞ୍ଜି: ଭାରତୀୟ ରେଳ ବିଭାଗ ପକ୍ଷରୁ କଣ୍ଟାବାଞ୍ଜି ସହରବାସୀଙ୍କ ଭେଟି ଦେଇଛନ୍ତି। ରେଳବିଭାଗ ପକ୍ଷରୁ ଦୁର୍ଗ- ବିଶାଖାପାଟଣା ବନ୍ଦେ ଭାରତ ଦ୍ରୁତଗାମୀ ଟ୍ରେନ ସୋମବାରଠାରୁ କଣ୍ଟାବାଞ୍ଜି, ଟିଟିଲାଗଡ଼଼ ଦେଇ ଚଳାଚଳ କରିଛି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଶୁଭାରମ୍ଭ କରିଛନ୍ତି। ଏହା ଦୁର୍ଗରୁ ବାହାରି ରାୟପୁର, ମହାସମୁନ୍ଦ, ଖରିଆର ରୋଡ଼, କଣ୍ଟାବାଞ୍ଜି, ଟିଟିଲାଗଡ଼଼, କେସିଙ୍ଗା, ରାୟଗଡ଼଼ା, ବିଜୟନଗରମ ଦେଇ ବିଶାଖାପାଟଣାରେ ପହଞ୍ଚିବ। ମାତ୍ର ୫ଘଣ୍ଟାରେ ଦୁର୍ଗ ରୁ ବିଶାଖାପାଟଣା ମଧ୍ୟରେ ୩ଶହରୁ ଊର୍ଦ୍ଧ୍ବ କି.ମି ରେଳଯାତ୍ରା ସମ୍ଭବ ହେବ। ତେବେ କଣ୍ଟାବାଞ୍ଜି ରେଳ ଷ୍ଟେସନରେ ଏନେଇ ଏକ ସ୍ୱତନ୍ତ୍ର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଉତ୍ସବରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗୀର ସାଂସଦ ସଂଗୀତା କୁମାରୀ ସିଂଦେଓ, ସମ୍ମାନିତ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ , DIG CUM CSC RPF ଭବାନୀ ଶଙ୍କର ନାଥ , ଡିଆରଏମ ତୁଷାରକାନ୍ତ ପାଣ୍ଡେ ପ୍ରମୁଖ ମଂଚାସୀନ ଥିଲେ। ବନ୍ଦେ ଭାରତ ଦ୍ରୁତଗ୍ରାମୀ ଟ୍ରେନ କଣ୍ଟାବାଞ୍ଜି ପହଂଚିବା ପରେ ସାଂସଦ, ବିଧାୟକ ସବୁଜ ପତକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ। ଟ୍ରେନକୁ ଦେଖିବା ପାଇଁ ଷ୍ଟେଶନରେ ପ୍ରବଳ ସମାଗମ ଦେଖିବାକୁ ମିଳିଥିଲା। ଟ୍ରେନ କଣ୍ଟାବାଞ୍ଜି ରେଳ ଷ୍ଟେସନ ରୁ ରାତି ୭. ୧୫ ରେ ଛାଡିଥିଲା। ବଲାଙ୍ଗିର ସାଂସଦ ସଂଗୀତା ସିଂ ଦେଓ, କଳାହାଣ୍ଡି ସାଂସଦ ମାଳବିକା ଦେଓ, କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଟ୍ରେନରେ ବସି ଯାତ୍ରା କରିଥିବା ଦେଖିବାକୁ ମିଳିଥିଲା।
Powered by Froala Editor