ସ୍କ୍ରବ୍ ଟାଇଫସ୍ ଆତଙ୍କ : ବରଗଡ଼, ଜଗତସିଂହପୁରରେ ୮ ଆକ୍ରାନ୍ତ ଚିହ୍ନଟ
ସ୍କ୍ରବ୍ ଟାଇଫସ୍ ଧିରେ ଧିରେ ଆତଙ୍କ ସୃଷ୍ଟି କଲାଣି । ବରଗଡ଼ ଜିଲ୍ଲାରେ ୪ ଜଣଙ୍କ ଏହି ରୋଗରେ ମୃତ୍ୟୁ ହୋଇସାରିଥିବାବେଳେ ପୁଣି ୪ ନୂଆଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ୧୬ ରୋଗୀଙ୍କ ଆଲିସା ପରୀକ୍ଷାରୁ ୪ ଜଣ ମାରାତ୍ମକ ବ୍ୟାକ୍ଟେରିଆ ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଛି । ସେମାନଙ୍କ ଭିତରେ ୨ ଜଣ ସୋହେଲାରୁ ଅଛନ୍ତି । ଜଣେ ଭୁକ୍ତା ଏବଂ ଅନ୍ୟ ଜଣେ ବରଗଡ଼ ସହରର । ବରଗଡ଼ ଜିଲ୍ଲାରେ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୬ ଛୁଇଁଛି । ଘରୋଇ ହସ୍ପିିଟାଲରେ ୧୨ ଏବଂ ଡିଏଚଏଚ୍ରେ ୧୪ ଜଣ ଚିକିତ୍ସାଧୀନ ଅଛନ୍ତି ।
ଜଗତସିଂହପୁର ଜିଲ୍ଲା ବାଲିକୁଦା ଅଞ୍ଚଳରେ ମଧ୍ୟ ସ୍କ୍ରବ୍ ଟାଇଫସ୍ରେ ଆଉ ୪ ଜଣ ସଂକ୍ରମିତ ହୋଇଥିବା ଜଣାପଡିଛି । ସେମାନଙ୍କ ମଧ୍ୟରେ ଜଣେ ୮ ବର୍ଷର ଝିଅଟିଏ ରହିଛି । ପ୍ରଥମେ ଓଳାଭର ସରପଞ୍ଚ ମଧୁଛନ୍ଦା ସ୍ୱାଇଁଙ୍କ ସ୍ୱାମୀ ବିଭୁତି ଭୂଷଣ ସ୍ୱାଇଁଙ୍କ ଠାରେ ଏହି ରୋଗର ଲକ୍ଷଣ ଦେଖାଦେଇଥିଲା । ତାପରେ ଅଢ଼ଙ୍ଗା ପଞ୍ଚାୟତ କଅଁପୁର ଗାଁର ବିଜୟ ବିଶ୍ୱାଳ, କୋଳଦାର ନଗେନ୍ଦ୍ର ଦାସଙ୍କ ପାଖରେ ଏହି ରୋଗର ଲକ୍ଷଣ ଦେଖାଯିବା ପରେ ସେ ଚିକିତ୍ସିତ ହେଉଛନ୍ତି । ସେହିପରି ଜଣେ ୮ ବର୍ଷର ଶିଶୁକନ୍ୟା ଏହି ରୋଗରେ ପୀଡ଼ିତ ଅଛନ୍ତି ।
ବାଲିକୁଦାରୁ ୪ ଜଣ ଚିହ୍ନଟ ହେବା ପରେ ରୋଗକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଛନ୍ତି । ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଶତୃଘନ ଦାଶଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଏନେଇ ପ୍ରକୃତ ତଥ୍ୟ ଜିଲ୍ଲା ମେଡିକାଲରେ ନାହିଁ । ତଥାପି ଲକ୍ଷଣ ଦେଖାଦେଲେ ଜିଲ୍ଲା ହସ୍ପିଟାଲରେ ସ୍ୱାବ୍ ପରୀକ୍ଷା ବ୍ୟବସ୍ଥା କରାଯାଇଛି ।
ଅନ୍ୟପଟେ ସଂକ୍ରମଣ ବଢୁଥିବାରୁ ପ୍ରତିଷେଧକ ପାଇଁ ଦାବି କରିଛନ୍ତି ଲୋକମାନେ । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀମାନେ ମତ ରଖିଛନ୍ତି ।
Powered by Froala Editor