ଶ୍ରୀମନ୍ଦିର ଦଧିନଉତି ଉପରକୁ ଚଢ଼ି ବୁଲାବୁଲି କଲେ ବ୍ୟକ୍ତି
ଶ୍ରୀମନ୍ଦିର ଦଧିନଉତି ଉପରକୁ ଚଢ଼ି ଯାଇଥିଲେ ଜଣେ ବ୍ୟକ୍ତି। ଯାହାକୁ ନେଇ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ଉପରେ ପୁଣିଥରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜଣେ ବୟସ୍କ ବ୍ୟକ୍ତି ଶ୍ରୀମନ୍ଦିର ଦଧିନଉତି ଉପରେ ଚଢିଯାଇଥିବା ଦେଖିବାକୁ ମିଳିଛି। ରାତି ପ୍ରାୟ ୧୦ ଟା ସମୟରେ ବ୍ୟକ୍ତି ଶ୍ରୀମନ୍ଦିର ଦଧିନଉତି ଉପରେ ଚଢିଯାଇ ବୁଲାବୁଲି କରୁଥିବା ଦେଖିବାକୁ ମିଳିଥିଲା। ଶ୍ରୀମନ୍ଦିର ଦଧିନଉତି ଉପରକୁ ଚଢିଥିବା ବ୍ୟକ୍ତି ଜଣଙ୍କ ଛତ୍ରପୁରର ବଳରାମ ମହାରଣା ବୋଲି ଜଣାପଡିଛି।
ସୁରକ୍ଷା ବଳୟ ଭାଙ୍ଗି କିପରି ସେ ଦଧିନଉତି ଉପରକୁ ଚଢ଼ିଗଲେ, ତାହା ଅସ୍ପଷ୍ଟ ରହିଛି। ଚୁନରା ସେବକ ଚଢ଼ୁଥିବା ସିକୁଳି ଦେଇ ସେ ଦଧିନଉତି ଉପରକୁ ଚଢ଼ି ଯାଇଥିଲେ ବୋଲି ଜଣାପଡ଼ିଛି। ବହୁ ଉଦ୍ୟମ କରି ତାଙ୍କୁ ତଳକୁ ଅଣାଯାଇଥିଲା। ଅନ୍ୟପକ୍ଷରେ ଗଣମାଧ୍ୟମରେ ଉକ୍ତ ବ୍ୟକ୍ତି କହିଛନ୍ତି ଯେ ପତିତପାବନ ବାନା ଉଡ଼ିଯାଇଥିବାରୁ ସେ ସେଠାକୁ ଚଢ଼ି ଯାଇଥିଲେ।
ତେବେ ଶ୍ରୀମନ୍ଦିର ଭିତରେ ଓ ବାହାରେ ଶହ ଶହ ପୋଲିସ ମୁତୟନ ଥିବା ବେଳେ ଜଣେ ବ୍ୟକ୍ତି ସମସ୍ତ ସୁରକ୍ଷା ବଳକୁ ଭେଦ କରି କିପରି ଶ୍ରୀମନ୍ଦିର ଦଧିନଉତି ଉପରକୁ ଚଢିଗଲେ ତାହା କେହି ଜାଣିପାରିଲେ ନାହିଁ। ତାହାକୁ ନେଇ ସାଧାରଣ ବ୍ୟକ୍ତିଙ୍କ ଠାରୁ ଆରମ୍ଭ କରି ଜଗନ୍ନାଥପ୍ରେମୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
Powered by Froala Editor