ମହାନଦୀରେ ଭାସୁଛି ମହିଳାଙ୍କ ମୃତଦେହ, ମୁହଁ ନାହିଁ
ମହାନଦୀ ପଠାରୁ ମିଳିଛି ଜଣେ ମହିଳାଙ୍କ ଗଳିତ ମୃତଦେହ । କଟକ ବିଡ଼ାନାସୀରେ ଚହଟା ତଅଁଳା ସାହି ବସ୍ତି ନିକଟ ମହାନଦୀ କୂଳରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । କିନ୍ତୁ ଆଶ୍ଚର୍ଯ୍ୟ ଯେ, ମହିଳାଙ୍କ ମୁହଁ ନାହିଁ । ଦେହର ଅନ୍ୟ ଅଂଶ ସବୁ ପଚି ସଢ଼ି ନଷ୍ଟ ହୋଇଯାଇଛି । ଫଳରେ ମହିଳାଙ୍କ ପରିଚୟ ମିଳିବା କଷ୍ଟକର ହୋଇଛି । ସେ କିଏ, କାହାର ମୃତଦେହ ଖୋଜିବା ଏବେ ପୁଲିସ ପାଇଁ ଚ୍ୟାଲେଞ୍ଜ ହୋଇପଡିଛି । ଏହା ପଛରେ ହତ୍ୟାକାଣ୍ଡର ଗନ୍ଧ ବାରି ହୋଇପଡୁଛି ।
ଚହଟା ତଅଁଳା ସାହି ବସ୍ତି ସମ୍ମୁଖ ମହାନଦୀକୁ ସ୍ଥାନୀୟ ଲୋକେ ଶୌଚ ପାଇଁ ଯାଇଥିବା ବେଳେ ପଚା ଦୁର୍ଗନ୍ଧ ବାରିଥିଲେ । ଘାସ ବୁଦା ମୂଳେ ଜଣେ ମହିଳା ତଳକୁ ମୁହଁ ମାଡ଼ି ପଡ଼ିଥିବାର ଲୋକେ ଦେଖିଥିଲେ । ବିଡ଼ାନାସୀ ପୁଲିସକୁ ଲୋକେ ଖବର ଦେବା ପରେ ପୁଲିସ କିଛି ସ୍ୱେଚ୍ଛାସେବୀଙ୍କ ସହାୟତାରେ ମୃତଦେହକୁ ଜବତ କରିଥିଲେ ।
ତେବେ ମହିଳାଙ୍କ ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ମୃତ ମହିଳାଙ୍କ ଦେହରେ ଲୁଗାପଟା ଥିବା ସହ ତାଙ୍କ ପାଦରେ ଚପଲ ରହିଛି । ବେକରେ ମାଳି ସହ ଏକ ଷ୍ଟଲ୍ ଗୁଡ଼ାଇ ହୋଇରହିଛି । ତେବେ ଶରୀରର ସମ୍ମୁଖ ଭାଗରୁ ମାଂସ ପଚି ନଷ୍ଟ ହୋଇଯାଇଛି । ସେ ନଦୀରେ ବୁଡ଼ି ପ୍ରାଣ ହରାଇଛନ୍ତି ନା ପାଣିକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ନା ହତ୍ୟା କରାଯାଇଛି ତାହା ଜାଣିବା କଷ୍ଟକର ହୋଇପଡ଼ିଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ଜଣାପଡ଼ିବ ବୋଲି ପୁଲିସ କହିଛି ।
ବିଡ଼ାନାସୀ ଥାନା ପୁଲିସ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଏସ୍ସିବି ଡାକ୍ତରଖାନା ପଠାଇଛି । ପୁଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତକଙ୍କ ପରିଚୟ ଜାଣିବା ପାଇଁ ମହାନଦୀ ନିକଟ ଥାନା ସମେତ ଜିଲ୍ଲାର ବିଭିନ୍ନ ଥାନାଗୁଡ଼ିକୁ ଫଟୋ ପଠାଇଛି ।
Powered by Froala Editor