ଅସୁସ୍ଥ ପୁଅକୁ ମେଡିକାଲ ଝରକାରୁ ଫିଙ୍ଗିଦେଲା ନିଷ୍ଠୁର ବାପା
ସ୍ନେହ ପ୍ରେମ ଭୁଲିଗଲା ବାପା । ମେଡିକାଲରେ ବୁଲାଇବାକୁ ନେଇ ୫ ବର୍ଷର ନିରୀହ ପୁଅକୁ ଝରକା ବାହାରକୁ ଫିଙ୍ଗିଦେଲା । ସୌଭାଗ୍ୟବଶତଃ ତଳେ ଠିଆ ହୋଇଥିବା କିଛି ରୋଗୀଙ୍କ ପରିବାର ଲୋକ ପିଲାଟିକୁ ଧରି ପକାଇଥିଲେ । ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶର ଦେବରିୟାରେ ଥିବା ଦେବରାହା ବାବା ମେଡିକାଲ କଲେଜରେ।
ସୂଚନାଯୋଗ୍ୟ, ଗୌରିବାଜାର ପୁଲିସ ଷ୍ଟେସନ ପରିସରରେ ସୁପାରୀ ନିବାସୀଙ୍କ ୫ବର୍ଷର ପୁଅ ଅସୁସ୍ଥ ଥିବା ହେତୁ ତାକୁ ସର୍ଜିକାଲ ୱାର୍ଡରେ ଭର୍ତ୍ତି କରାଯାଇଥିଲା।। ଶିଶୁ ପାଖରେ ତାର ବାପା ଓ ମା’ ରହିଥିଲେ। ହଠାତ ବାପା ପୁଅକୁ ବୁଲାଇ ନେବା ବାହାନାରେ ମା’ ପାଖରୁ ନେଇଯାଇଥିଲେ। ଏହାପରେ ସର୍ଜିକାଲ ୱାର୍ଡ ଝରକା ଫାଙ୍କରୁ ତଳକୁ ଫିଙ୍ଗି ଦେଇଥିଲେ। ଏହି ସମୟରେ ତଳେ ଥିବା ଅନ୍ୟ ରୋଗୀଙ୍କ ପରିବାରଲୋକ ଶିଶୁକୁ ଧରି ପକାଇଥିଲେ।
ଏହାପରେ ଲୋକେ ପୁଲିସରେ ଖବର ଦେଇଥିଲେ। ପୁଲିସ ପହଞ୍ଚି ଶିଶୁର ବାପାଙ୍କୁ ଗିରଫ କରି ନେଇଥିଲା। ଶିଶୁର ପରିବାରଲୋକ ଥାନାରେ ପହଞ୍ଚି ଅନେକ ଅନୁରୋଧ କରିବା ପରେ ପୁଲିସ ବାପାଙ୍କୁ ମୁକ୍ତ କରିଥିଲା। ଅସୁସ୍ଥ ଥିବା ହେତୁ ଶିଶୁକୁ ପୁଣିଥରେ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ନିଶାସକ୍ତ ଥିବାରୁ ବାପା ଏଭଳି କରିଛି ବୋଲି ଶିଶୁର ମା’ କହିଛି । ହେଲେ ଶିଶୁଟି ଭୟଭୀତ ରହିଛି ।
Powered by Froala Editor