ଦ୍ରୁତ ବାଇକ୍ ଚାଳନାରୁ କଥା କଟାକଟି, ଜଣଙ୍କୁ ପଥର ଛେଚି ମାରିଦେଲେ
ବାଇକ୍ ଦୁର୍ଘଟଣାରୁ ବଢିଲା କଥା କଟାକଟି । କଥା କଟାକଟିରୁ ଆରମ୍ଭ ହେଲା ମାରପିଟ୍ । ଶେଷରେ ପଥର, ମାରଣାସ୍ତ୍ରରେ ଜଣେ ଯୁବକଙ୍କୁ ହତ୍ୟା କରିଦିଆଗଲା । ଏଭଳି ହତ୍ୟାକାଣ୍ଡ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବଡ଼ଖରିଡ଼ା ଗାଁ ନିକଟ ରାସ୍ତାରେ ଘଟିଛି । ମୃତ ଯୁବକ ହେଲେ ଶିବନ୍ ପାଳ । ତାଙ୍କ ଡାକ ନାଁ ଶୁଭମ ହୋଇଥିବାବେଳେ ବୟସ ୨୨ ବର୍ଷ ।
ଶୁଭମଙ୍କ ଘର ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଅରଖପୁରରେ । ଶୁଭମ୍ ଓ ତାଙ୍କର କେତେକ ସାଙ୍ଗ ପୁରୁଷୋତ୍ତମପୁରରୁ କବିସୂର୍ଯ୍ୟନଗର ଆଡ଼କୁ ବାଇକ୍ରେ ଆସୁଥିଲେ । କେତେଗୁଡିଏ ବାଇକ୍ରେ ସମସ୍ତେ ଦ୍ରୁତଗତିରେ ଆସୁଥିବାବେଳେ ଗୋଟିଏ ବାଇକ୍ ବଡ଼ଖରିଡ଼ା ଗାଁ ନିକଟ ରାସ୍ତାରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ରାତିରେ ଏଭଳି ଦ୍ରୁତଗତିରେ ବାଇକ୍ ଚାଳନାକୁ ନେଇ ବଡ଼ଖରିଡ଼ା ଗ୍ରାମବାସୀ ଓ ବାଇକ୍ ଆରୋହୀଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା । ଧୀରେଧୀରେ ଯୁକ୍ତତର୍କ ବଢିଚାଲିଲା । ଗାଁର କେତେକ ଯୁବକ ଶୁଭମ୍ଙ୍କ ମୁଣ୍ଡକୁ ପଥର ଓ ଧାରୁଆ ଅସ୍ତ୍ରରେ ଆକ୍ରମଣ କଲେ । ଶୁଭମକୁ ତୁରନ୍ତ ବ୍ରହ୍ମପୁର ବଡ଼ ଡାକ୍ତରଖାନା ନିଆଯାଇଥିଲା । କିନ୍ତୁ ଚିକିତ୍ସା ଚାଲିଥିଲାବେଳେ ଶୁଭମର ମୃତ୍ୟୁ ହୋଇଯାଇଥିଲା । ଆକ୍ରମଣରେ ସମ୍ପୃକ୍ତି ଅଭିଯୋଗରେ ପୁଲିସ ୨ ଜଣ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ।
Powered by Froala Editor