ରେଭେନ୍ସା କନ୍ଦଳ: ବାଚସ୍ପତିଙ୍କ ପୋଡ଼ିୟମ ପାଖରେ ବିଜେଡିର ନାରାବାଜି

ଭୁବନେଶ୍ୱର: ରେଭେନ୍ସା ନାମ ପରିବର୍ତ୍ତନ କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରସ୍ତାବ ଦେବା ପରେ ଓଡ଼ିଶା ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି । ତେବେ ଏହାର ତାତି ଏବେ ବିଧାନସଭାରେ ଦେଖିବାକୁ ମିଳିଛି । ଗତକାଲି ରେଭେନ୍ସା ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀ ମୁହାଁମୁହିଁ ହୋଇଥିବାବେଳେ ଆଜି ଏହି ପ୍ରସଙ୍ଗକୁ ନେଇ ବିଜେଡି ପ୍ରବଳ ହଟ୍ଟଗୋଳ କରିଛି । ବିଜେଡି ବିଧାୟକମାନେ ବାଚସ୍ପତିଙ୍କ ପୋଡ଼ିୟମ ପାଖକୁ ଆସି ନାରାବାଜି କରିଛନ୍ତି । ଫଳରେ ବାଚସ୍ପତି ସୁରମା ପାଢ଼ୀ ଗୃହକାର୍ଯ୍ୟକୁ ୧୨.୩୦ ଯାଏଁ ମୁଲତବୀ ଘୋଷଣା କରିଛନ୍ତି ।
ଗୁରୁବାର ଶୂନ୍ୟକାଳରେ ବିଜେଡି ବିଧାୟକ ବ୍ୟୋମକେଶ ରାୟ ଏହି ପ୍ରସଙ୍ଗ ଉଠାଇଥିଲେ । ଏଥିସହ ନାମ ପରିବର୍ତ୍ତନ ନେଇ ସେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ଦାବି କରିଥିଲେ । ସେ କହିଥିଲେ ଯେ ରେଭେନ୍ସା ୧୫୬ ବର୍ଷର ଶିକ୍ଷାନୁଷ୍ଠାନ । ଏହାକୁ ନ’ଙ୍କ ଦୁର୍ଭିକ୍ଷ ସହ ଯୋଡ଼ିବା ଠିକ ନୁହେଁ । ରେଭେନ୍ସା ତାଙ୍କ କାର୍ଯ୍ୟକାଳରେ ଓଡ଼ିଆ ପଢ଼ାଯିବା ଲାଗି ଗୁରୁତ୍ୱ ଦେଇଥିଲେ । ରେଭେନ୍ସାଙ୍କ ଉଦ୍ୟମ ପାଇଁ ତାଙ୍କୁ ଫକୀରମୋହନ ସେନାପତି ଓ ଗୌରୀଶଙ୍କର ପ୍ରଶଂସା କରିଥିଲେ । ସେ ଚାହିଁନଥିଲେ ତାଙ୍କ ନାମରେ ରେଭେନ୍ସା କଲେଜ ହେଉ । ନାମ ପରିବର୍ତ୍ତନ ପ୍ରସଙ୍ଗକୁ ନେଇ ଆନେ୍ଦାଳନ ବଢ଼ୁଛି । ଏନେଇ ମୁଖ୍ୟମନ୍ତ୍ରୀ ବିବୃତ୍ତି ରଖନ୍ତୁ ବୋଲି ବିଧାୟକ ବ୍ୟୋମକେଶ ରାୟ ଦାବି କରିଥିଲେ ।
କଂଗ୍ରେସ ସଭ୍ୟ ସୋଫିଆ ଫିର୍ଦୋସ କହିଥିଲେ, ନାମ ପରିବର୍ତ୍ତନକୁ ହାଲକା ଭାବେ ନିଆ ନଯାଉ। ଏମିତି ପ୍ରସ୍ତାବ ଦେଇ ଶାସକ ଦଳ ରେଭେନ୍ସାର ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ ଓ କଟକବାସୀଙ୍କ ଭାବନାକୁ ଆଘାତ ଦେଇଛନ୍ତି। ରେଭେନ୍ସାର କ୍ୟାମ୍ପସ୍-୨କୁ ପୂର୍ଣ୍ଣାଙ୍ଗ କରିବାକୁ ପଦକ୍ଷେପ ନିଆଯାଉ। ମୁଖ୍ୟମନ୍ତ୍ରୀ ଏହା ଉପରେ ବିବୃତି ଦିଅନ୍ତୁ।
ଶାସକ ଦଳ ସଭ୍ୟ ଟଙ୍କଧର ତ୍ରିପାଠୀ ଏହାର ପ୍ରତିବାଦ କରି କହିଥିଲେ, ରେଭେନ୍ସା ନାମ ପରିବର୍ତ୍ତନ ଉପରେ ବିତର୍କ ପାଇଁ କେନ୍ଦ୍ର ମନ୍ତ୍ରୀ ମତ ରଖିଥିଲେ। ତାହାକୁ ରାଜ୍ୟବାସୀ ଗ୍ରହଣ କରିନେଇଛନ୍ତି। ନଅଙ୍କ ଦୁର୍ଭିକ୍ଷରେ କାହା ପାଇଁ ଲକ୍ଷ ଲକ୍ଷ ଲୋକ ମରିଥିଲେ, ତାହାକୁ ଚିନ୍ତା କରିବାକୁ ପଡ଼ିବ। ଓଡ଼ିଶାର ଅନେକ ବରପୁତ୍ର ଅଛନ୍ତି। ସେମାନଙ୍କ ନାମରେ ନାମିତ କରିବାରେ ଅସୁବିଧା କ’ଣ? ଏହା ଉପରେ ବୌଦ୍ଧିକ ତର୍କ ହେବାର ଆବଶ୍ୟକତା ରହିଛି। ଈରାଶିଷ ଆଚାର୍ୟ୍ୟ କହିଥିଲେ, ଭିନ୍ନମତ ଗଣତନ୍ତ୍ରର ସୌନ୍ଦର୍ୟ୍ୟ। କେନ୍ଦ୍ର ମନ୍ତ୍ରୀ ଏହି ପ୍ରସଙ୍ଗରେ ତର୍ଜମା ପାଇଁ କହିଥିଲେ। ଏଥିରେ ଅସୁବିଧା କ’ଣ? ଓଡ଼ିଆମାନେ ଉତ୍ସାହ ହୀନ ଓ ଅଳସୁଆ ବୋଲି କହିଥିଲେ ରେଭେନ୍ସା। କେନ୍ଦ୍ର ମନ୍ତ୍ରୀ ଗୃହରେ ସଦସ୍ୟ ନୁହନ୍ତି। ତାଙ୍କ ବିଷୟରେ ଗୃହରେ ଆଲୋଚନା କରା ନଯାଉ।
Powered by Froala Editor