ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର କାର୍ୟ୍ୟକ୍ରମ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର କାର୍ୟ୍ୟକ୍ରମ ସମୀକ୍ଷା କରିଛନ୍ତି । ସମୀକ୍ଷାରେ ଜଙ୍ଗଲ ଅଞ୍ଚଳରେ ଅବୈଧ ଗଛ କଟା ବନ୍ଦ କରିବା ପାଇଁ ଏବଂ ଜଙ୍ଗଲ ଉପରେ ନିର୍ଭର କରି ଚଳୁଥିବା ପାର୍ଶ୍ବବର୍ତ୍ତୀ ଅଞ୍ଚଳର ଲୋକମାନଙ୍କୁ ଶ୍ରମ ଭିତ୍ତିକ ନିଯୁକ୍ତି ଦେବାପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଦେଇଛନ୍ତି।
୨୦୧୯-୨୦ ବର୍ଷ ଠାରୁ ଆଜି ପର୍ୟ୍ୟନ୍ତ ବିଭିନ୍ନ କାରଣ ଯୋଗୁ ୪୪୪ଟି ହାତୀ ପ୍ରାଣ ହରାଇଛନ୍ତି। ଏହି ସମୟ ମଧ୍ୟରେ ୭୨୯ ଜଣ ବ୍ୟକ୍ତି ମଧ୍ୟ ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି। ମୁଖ୍ୟମନ୍ତ୍ରୀ ଏଥିରେ ଉଦ୍ବେଗ ପ୍ରକାଶ କରି ମଣିଷ-ପ୍ରାଣୀ ସଂଘର୍ଷ କମାଇବା ପାଇଁ ବିହିତ କାର୍ୟ୍ୟାନୁଷ୍ଠାନ ପାଇଁ ପରାମର୍ଶ ଦେଇଥିଲେ ।
ନିଜ ଜୀବନ ପ୍ରତି ଥିବା ଭୟକୁ ଭ୍ରୁକ୍ଷେପ ନ କରି ଜଙ୍ଗଲ ଓ ବନାଖଣ୍ଡର ସୁରକ୍ଷା କାମରେ ନିୟୋଜିତ ବନ କର୍ମଚାରୀ ମାନଙ୍କ ମନୋବଳ ବୃଦ୍ଧି କରିବା ପାଇଁ, ସେମାନଙ୍କ ପାଇଁ ପ୍ରୋତ୍ସାହନ ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଏହାସହିତ ବନୀକରଣ କାର୍ୟ୍ୟକ୍ରମରେ ଗଛ ଗୁଡିକ ଯେପରି ବଞ୍ଚି ରହିବ, ସେଥିପାଇଁ ନିୟମିତ ଭାବରେ ନିରୀକ୍ଷଣ ଜାରି ରଖିବାକୁ ସେ ପରାମର୍ଶ ଦେଇଥିଲେ ।
ବିଭାଗରେ ଖାଲି ଥିବା ପଦବୀ ସଂପର୍କରେ ହୋଇଥିବା ଆଲୋଚନାରୁ ଜଣାଯାଇଛି ଯେ ବର୍ତ୍ତମାନ ସୁଦ୍ଧା ୧୬୭୭ଟି ବନରକ୍ଷୀ ଓ ୩୧୬ଟି ବନପାଳ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଶେଷ ପର୍ୟ୍ୟାୟରେ ପହଞ୍ଚିଛି । ଖୁବଶୀଘ୍ର ଏହି ପଦବୀ ଗୁଡିକ ପୂରଣ କରାଯିବ। ବାକିଥିବା ପଦବୀ ଗୁଡିକ ପାଇଁ ନିଯୁକ୍ତି ପ୍ରକ୍ରିୟା ତ୍ବରାନ୍ବିତ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।
Powered by Froala Editor