ମଦ ବୋଝେଇ ସ୍କର୍ପିଓ ଜାଳି ଦେଲେ ଲୋକେ
ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଭଗିଆ ଛକ ନିକଟରେ ଏକ ମଦ ବୋଝେଇ ସ୍କର୍ପିଓକୁ ଜାଳି ଦେଇଛନ୍ତି ଲୋକେ। ସିମୁଳିଆ ପୁଲିସ କାରରେ ଥିବା ରମେଶ ପ୍ରଧାନ(୨୮) ଓ ତାପସ ବେହେରା(୩୫) ନାମକ ଦୁଇ ଜଣ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।
ମିଳିଥିବା ସୂଚନା ମୁତାବକ, ଗୁରୁବାର ରାତି ପ୍ରାୟ ୯ଟାରେ ଭଦ୍ରକରୁ ବାଲେଶ୍ବର ଅଭିମୁଖେ ଯାଉଥିବା ଏକ ସ୍କର୍ପିଓ (ନଂ.ଓଆର୍୦୨ବିଟି-୦୧୦୦) କାରକୁ ଅବକାରୀ ବିଭାଗୀୟ ଓ ପୁଲିସ ପିଛା କରୁଥିଲା। ସ୍କର୍ପିଓଟି ବାଲେଶ୍ୱର ଅଭିମୁଖେ ଆସିଥିଲା। ପରେ ସିମୁଳିଆ ପୁଲିସ ଏହି ସ୍କର୍ପିଓ ସଂପର୍କରେ ଖବର ପାଇଥିଲା। ସ୍କର୍ପିଓଟି କୌଶଳ କ୍ରମେ ସିମୁଳିଆରୁ ଏକ ପୋଲ ଦେଇ ପୁଣି ଭଦ୍ରକ ଅଭିମୁଖେ ଯାଉଥିବା ବେଳେ ସିମୁଳିଆ ପୁଲିସ ପିଛା କରିଥିଲା । ହେଲେ ମଦ ବୋଝେଇ ସ୍କର୍ପିଓରେ ପିଲା ଚୋରି କରି ନିଆ ଯାଉଥିବା ଏକ ଖବର ପ୍ରଚାରିତ ହୋଇଥିଲା।
କାରଟି ସିମୁଳିଆ ବ୍ଲକ ସଦରମହକୁମାର ମାର୍କୋଣା ଓଭର ବ୍ରିଜ ଦେଇ ପୁଣି ଭଦ୍ରକ ଅଭିମୁଖେ ଯିବାକୁ ଉଦ୍ୟମ କରୁଥିବା ବେଳେ ଭଗିଆ ଗାଁ ନିକଟରେ ସ୍ଥାନୀୟ ଲୋକେ ଗାଡିକୁ ଅଟକାଇଥିଲେ। ଉତ୍ତ୍ୟକ୍ତ ଲୋକେ ଗାଡିରେ ନିଆଁ ଲଗାଇ ଜାଳି ଦେଇଥିଲେ। କାରରେ ଥିବା କେତେକ ବ୍ୟକ୍ତି ଫେରାର ହୋଇଯାଇଥିବା ବେଳେ ଦୁଇଜଣଙ୍କୁ ଲୋକେ ଧରି ପୁଲିସ ଜିମା ଦେଇଥିଲେ।
Powered by Froala Editor