ହାଣ୍ଡିଆ ଦେଲାନି ବୋଲି ଘରୁ ଘୋଷାଡ଼ି ନେଇ ମହିଳାଙ୍କୁ ମାରିଦେଲେ
କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ନିଆଳିଝରଣ ଗ୍ରାମରେ ଘଟିଛି ହତ୍ୟାକାଣ୍ଡ । ସାମାନ୍ୟ ହାଣ୍ଡିଆ ପାଇଁ ମହିଳାଙ୍କୁ ଘରୁ ଘୋଡାରି ଆଣି ବିଚ୍ ରାସ୍ତାରେ ହତ୍ୟା କରିଛି ଦୁର୍ବୃତ୍ତ । ମୃତ ମହିଳା ହେଉଛନ୍ତି ନିଆଳିଝରଣ ଗ୍ରାମର ମୋହନ ହେମ୍ବ୍ରମଙ୍କ ସ୍ତ୍ରୀ ସାଲକେ ହେମ୍ବ୍ରମ୍ ।
ରବିବାର ରାତିରେ ଗାଁରେ ସାମୁହିକ ଭୋଜିର ବ୍ୟବସ୍ଥା ହୋଇଥିଲା । ଭୋଜି ଖାଇବାକୁ ସାଲକେଙ୍କ ସ୍ୱାମୀ ମୋହନ ହେମ୍ବ୍ରମଙ୍କ ସହ ପରିବାର ଲୋକ ମଧ୍ୟ ଯାଇଥିଲେ । ଘରେ କେବଳ ସାଲକେଙ୍କ ସହ ଶାଶୂ ସୁମି ଥିଲେ । ସୁମିଙ୍କ କହିବା ମୁତାବକଳ, ଜଣେ ଅଚିହ୍ନା ବ୍ୟକ୍ତି ତାଙ୍କ ଘରକୁ ଆସି ସାଲେକଙ୍କୁ ହାଣ୍ଡିଆ କିଣି ଆଣି ଦେବାକୁ କହିଥିଲେ । ହେଲେ ସାଲକେ ମନା କରିବାରୁ ସେ ବ୍ୟକ୍ତି ଜଣକ ରାଗି ଯାଇଥିଲେ । ଘରୁ ପଦାକୁ ଘୋଷାଡି ନେଇ ହତ୍ୟା କରିଦେଇଥିଲେ ।
ତେବେ ଏହି ଘଟଣାକୁ ନେଇ ଗ୍ରାମରେ କେହି ମୁହଁ ଖୋଲୁନଥିବାରୁ ଡାହାଣୀ ସନ୍ଦେହରେ ଏହି ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ଅନୁମାନ ମଧ୍ୟ କରାଯାଉଛି । ଏ ସମ୍ପର୍କରେ ପରିବାର କିମ୍ବା ମୋହନ ପୁଲିସକୁ କୌଣସି ସୂଚନା ଦେଇନଥିବାବେଳେ ସାଲେକଙ୍କ ଭାଇ ଘନଶ୍ୟାମ ଖୁଦୁପଦା ଗାଁରୁ ଆସି ଘସିପୁରା ପୁଲିସକୁ ଖବର କରିଥିଲେ । ଜଣଙ୍କୁ ଅଟକ ରଖାଯାଇ ତଦନ୍ତ କରାଯାଉଛି । ଅଭିଯୋଗ ଆଧାରରେ ଘସିପୁରା ଥାନାରେ ୩୩୮/୨୪ ରେ ମାମଲା ରୁଜୁ ହୋଇଛି ।
Powered by Froala Editor