ପୁଣି ଗ୍ରେ ଲିଷ୍ଟରେ ପାକିସ୍ତାନ
ଆର୍ଥିକ ଆକ୍ସନ୍ ଟାସ୍କ ଫୋର୍ସ (FATF) ପାକିସ୍ତାନକୁ ଏହାର ଗ୍ରେ ତାଲିକାରେ ରଖିଛି। ପାକିସ୍ତାନ ଆତଙ୍କୀଙ୍କୁ ପାଣ୍ଠି ଯୋଗାଣ ବନ୍ଦ କରି ନଥିବାରୁ FATFର ଗ୍ରେ ଲିଷ୍ଟରେ ପୂର୍ବଭଳି ରହିଛି ପାକିସ୍ତାନ। ଏହାକୁ ନେଇ ଏଫଏଟିଏଫ ବିରକ୍ତି ପ୍ରକାଶ କରିବା ସହ ପାକିସ୍ତାନକୁ ବଡ଼ବଡ଼ ଆତଙ୍କୀଙ୍କ ଆକ୍କାମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛି।
ଗ୍ଲୋବାଲ ଟେରର ଫାନାନ୍ସିଂ ୱାଚଡଗ୍ ତା'ର ଶେଷ ଯାଞ୍ଚ ରିପୋର୍ଟରେ କହିଛି, ପାକିସ୍ତାନ ୨୭ଟି ଆକ୍ସନ ପ୍ଲାନରୁ ୨୬ଟିକୁ ପୂରଣ କରିଛି। ତଥାପି ପାକିସ୍ତାନ ସଂସ୍ଥାର ଗ୍ରେ ବା ସନ୍ଦିଗ୍ଧ ତାଲିକାରେ ରହିବ। ପାକିସ୍ତାନର ସ୍ଥିତିକୁ ନେଇ ଜୁନ୍ ୨୧ରୁ ୨୫ ଯାଏ ଏଫଏଟିଏଫର ବୈଠକ ବସିଥିଲା। ଏହାପରେ ଇସଲାମାବାଦକୁ ପୂର୍ବଭଳି ଗ୍ରେ ଲିଷ୍ଟରେ ରଖିବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଛି। ଏଫଏଟିଏଫର ସଭାପତି ମାର୍କସ ପ୍ଲେୟର କହିଛନ୍ତି, ଗ୍ରେ ଲିଷ୍ଟରୁ ହଟିବାକୁ ହେଲେ ପାକିସ୍ତାନକୁ କେବଳ ୨୦୧୮ରେ ଦିଆଯାଇଥିବା ୨୭ଟି ଯାକ ଆକ୍ସନ ପ୍ଲାନକୁ କାର୍ଯ୍ୟକାରୀ କରିବାକୁ ପଡ଼ିବ ନାହିଁ ବରଂ ଅତିରିକ୍ତ ୬ଟି ଯୋଜନାକୁ କାର୍ଯ୍ୟକାରୀ କରିବାକୁ ପଡ଼ିବ।
ଅନ୍ତର୍ଜାତୀୟ ଆର୍ଥକ ବ୍ୟବସ୍ଥାକୁ ସୁଦୃଢ଼ କରିବା, ଟେରର ପଣ୍ଡିଂ ଓ ବିଶ୍ୱ ସ୍ତରୀୟ ମନିଲଣ୍ଡରିଂ ଭଳି କାର୍ଯ୍ୟ ଉପରେ ରୋକ ଲଗାଇବା ପାଇଁ ୧୯୮୯ ମସିହାରେ ଏଫଏଟିଏଫ ଗଠନ ହୋଇଥିଲା। ପାକିସ୍ତାନ ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଉଥିବା ପ୍ରମାଣ ମିଳିବା ପରେ ୨୦୧୮ରେ ଉକ୍ତ ସଂସ୍ଥା ଇସଲାମାବାଦକୁ ତା'ର ଗ୍ରେ ଲିଷ୍ଟରେ ରଖିଥିଲା। ୨୦୧୯ ଅକ୍ଟୋବର ସୁଦ୍ଧା ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲା। ହେଲେ ପାକିସ୍ତାନ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିବାରୁ ଏଫଏଟିଏଫ୍ ଏହାକୁ କଳା ତାଲିକା ଭୁକ୍ତ କିମ୍ବା ଡାର୍କ ଗ୍ରେ ଲିଷ୍ଟରେ ସାମିଲ କରିବାକୁ ତର୍ଜମା ଆରମ୍ଭ କରିଥିଲା। ତେବେ ଶେଷ ମୁହୂର୍ତ୍ତରେ କଳା ତାଲିକା ଭୁକ୍ତ ହେବାରୁ ପାକିସ୍ତାନ ବର୍ତ୍ତି ଯାଇଥିଲା। କିନ୍ତୁ ବର୍ତ୍ତମାନ ସୁଦ୍ଧା ମଧ୍ୟ ପାକିସ୍ତାନ ପଦକ୍ଷେପ ନେଇନଥିବାରୁ ତାକୁ ଗ୍ରେ ତାଲିକା ଭୁକ୍ତ କରାଯାଇଛି ।
Powered by Froala Editor