କାହାର କୋଚ୍ ହେବେ ରାହୁଲ ଦ୍ରାବିଡ : ରାଜସ୍ଥାନ ପରେ ଇଂଲଣ୍ଡ ହେଡ୍ କୋଚ୍ ହେବା ନେଇ ଚର୍ଚ୍ଚା
ବିଶ୍ୱକପ ବିଜୟ ପରେ ରାହୁଲ ଦ୍ରାବିଡଙ୍କ କୋଚିଙ୍ଗ ପାଇଁ ଦିନକୁ ଦିନ ଦାବି ଜୋର ହେବାରେ ଲାଗିଛି । ନିକଟରେ ଦ୍ରାବିଡ଼ ରାଜସ୍ଥାନ ରୟାଲ୍ସର ମୁଖ୍ୟ କୋଚ ହେବା ନେଇ କଳ୍ପନାଜଳ୍ପନା ମଧ୍ୟରେ ଏବେ ଦ୍ରାବିଡ ଇଂଲଣ୍ଡ କ୍ରିକେଟ ଦଳର ମୁଖ୍ୟ କୋଚ ହେବା ନେଇ ଗୁଜବ ଆରମ୍ଭ ହୋଇଛି। ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ଇସିବି) ଏହାର ଦିନିକିଆ ଏବଂ ଟି-୨୦ ଦଳ ପାଇଁ ଏକ ନୂତନ କୋଚ ଖୋଜୁଛି ଏବଂ ଏହି ତାଲିକାରେ ଦ୍ରାବିଡ ଏକ ପ୍ରମୁଖ ନାମ ଭାବରେ ଉଭା ହୋଇଛି।
କୋଚ ଭାବରେ ରାହୁଲ ଦ୍ରାବିଡଙ୍କ ରେକର୍ଡ ଆକାଶଛୁଆଁ ଅଟେ । ତାଙ୍କ ନେତୃତ୍ୱରେ ହିଁ ଭାରତ ଦିନିକିଆ ବିଶ୍ୱକପର ଫାଇନାଲ ଖେଳିଥିଲା ଓ ଅଷ୍ଟ୍ରେଲିଆକୁ ମଧ୍ୟ ତାହାର ଘରୋଇ ଗ୍ରାଉଣ୍ଡରେ ମାତ ଦେଇଥିଲା । ଦ୍ରାବିଡଙ୍କ ନେତୃତ୍ୱରେ ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ଶୃଙ୍ଖଳା ଅମୀମାଂସିତ ରହିଥିଲା । ଏହାବାଦ ଟ୍ୱେଣ୍ଟି-ଟ୍ୱେଣ୍ଟି ବିଶ୍ୱକପ ୨୦୨୨ ରେ ଭାରତ ସେମିଫାଇନାଲ ଯାଏଁ ଯାଇଥିଲା । ଏତତବ୍ୟତୀତ ନିକଟରେ ଭାରତ ଦୀର୍ଘ ୧୭ ବର୍ଷ ପରେ ଟ୍ୱେଣ୍ଟି-ଟ୍ୱେଣ୍ଟି ବିଶ୍ୱକପ, ୧୧ ବର୍ଷ ପରେ ଆଇସିସି ଟ୍ରଫି ତଥା ୧୩ ବର୍ଷ ପରେ ବିଶ୍ୱକପ ଟ୍ରଫି ହାତେଇଥିଲା । ଏଭଳି ସ୍ଥିତିରେ କୋଚ ହେବା ଦୌଡରେ ସେ ଆଗରେ । ସେପଟେ ରାହୁଲଙ୍କ ସହ ଇଂଲଣ୍ଡ କୋଚ ପଦ ପାଇଁ ରିକି ପଣ୍ଟିଂ ଓ ନ୍ୟୁଜିଲାଣ୍ଡର ଷ୍ଟିଫେନ ଫ୍ଲେମିଂଙ୍କ ନାମ ମଧ୍ୟ ସାମ୍ନାକୁ ଆସିଛି ।
Powered by Froala Editor