ୟୁପିଏସସି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ମନୋଜ ସୋନି

ସଂଘୀୟ ଲୋକସେବା ଆୟୋଗ (ୟୁପିଏସସି) ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ମନୋଜ ସୋନୀ । ସୋନୀ ନିଜର “ବ୍ୟକ୍ତିଗତ କାରଣ” ହେତୁ ଚାକିରି କାଳ ଶେଷ ହେବାର ୫ ବର୍ଷ ପୂର୍ବରୁ ଇସ୍ତଫା ଦେଇଛନ୍ତି। ଶ୍ରୀ ସୋନୀ ନିଜର ଇସ୍ତଫା ପତ୍ର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ପଠାଇ ଦେଇଛନ୍ତି । ୨୦୨୯ ମସିହାରେ ଶ୍ରୀ ସୋନୀଙ୍କ କାର୍ଯ୍ୟକାଳ ସମାପ୍ତ ହେବାର ଥିଲା । ମାତ୍ର ତା’ ପୂର୍ବରୁ ସେ ପଦରୁ ରିଜାଇନ୍ କରିଛନ୍ତି ।
ଗତ ବର୍ଷ ମେ ୧୬ ତାରିଖରେ ଶ୍ରୀ ସୋନୀ ୟୁପିଏସସି ଅଧ୍ୟକ୍ଷ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ । ୨୦୧୭ରେ ସେ ୟୁପିଏସସିର ସଦସ୍ୟ ଭାବେ ଯୋଗ ଦେଇଥିଲେ । ୨୦୨୯ରେ ତାଙ୍କର କାର୍ଯ୍ୟକାଳ ସମାପ୍ତ ହେବାର ଥିଲା । ତେବେ ଗୁଜରାଟ ସ୍ଥିତ ସ୍ୱାମୀନାରାୟଣ ସମ୍ପ୍ରଦାୟର ଏକ ଶାଖା ଅନୁପମ ମିଶନକୁ ଶ୍ରୀ ସୋନୀ ଅଧିକ ସମୟ ଦେବାକୁ ଚାହୁଁଥିଲେ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି । ତେଣୁ ସେନେଇ ସେ ପଦ ଛାଡ଼ିଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି ।
ସେ ୨୦୦୯ ମସିହାରୁ ୨୦୧୫ ପର୍ଯ୍ୟନ୍ତ ଗୁଜୁରାଟର ଡକ୍ଟର ବାବାସାହେବ ଆମ୍ବେଦକର ଓପନ୍ ୟୁନିଭରସିଟିର କୁଳପତି ଭାବରେ କାର୍ଯ୍ୟ କରିଥିଲେ। ସେ ୨୦୦୫ ରୁ ୨୦୦୮ ମସହା ପର୍ଯ୍ୟନ୍ତ ମହାରାଜା ସାୟାଜିରାଓ ବିଶ୍ୱବିଦ୍ୟାଳୟର କୁଳପତି ଭାବରେ କାର୍ଯ୍ୟ କରିଥିଲେ। ସୋନି ଏମଏସୟୁ ବରୋଦାରେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଭାରତର ସର୍ବକନିଷ୍ଠ ଭିସି ହୋଇଥିଲେ। ଆନ୍ତର୍ଜାତୀୟ ସମ୍ପର୍କ ଅଧ୍ୟୟନରେ ଏକ ବିଶେଷଜ୍ଞତା ସହିତ ମନୋଜ ସୋନି ରାଜନୈତିକ ବିଜ୍ଞାନର ଜଣେ ବିଦ୍ୱାନ।
Powered by Froala Editor