ବାପାକୁ ପିଟି ପୁଅକୁ ଉଠାଇନେଲେ, ମାଗିଲେ ୫ ଲକ୍ଷ
ବାପାକୁ ମାଡ ମାରି ପୁଅକୁ ଅପହରଣ ଅଭିଯୋଗ । ୫ଲକ୍ଷ ଦେଲେ ପୁଅକୁ ଫେରାଇବୁ ବୋଲି ଧମକ ଦେଲା ଅପହର୍ତ୍ତା। ଏପରି ଘଟଣା ଘଟିଛି ନନ୍ଦିପଦା ଥାନା ପନ୍ଦାଡୋ ଗ୍ରାମରେ।
ଅଭିଯୋଗ ଅନୁଯାୟୀ ନରେନ୍ଦ୍ର ନାୟକ ଓ ତାଙ୍କ ପୁଅ ସନାତନ ହାଟଡିହି କୋର୍ଟକୁ ଏକ ମାମଲାରେ ହାଜିରା ଦେବାକୁ ଆସି ଫେରୁଥିବା ବେଳେ ନାହାଳିଆ ପୋଲ ନିକଟରେ କିଛି ଯୁବକ ନରେନ୍ଦ୍ର କୁ ମାଡ ମାରି ବିଲକୁ ଫିଙ୍ଗିଦେଇ ସନାତନକୁ ଉଠାଇ ନେଇ ପଳାଇଥିଲେ। ସୁକୁମାର ପଳତା ନାମକ ବ୍ଯକ୍ତିଙ୍କ ଅଭିଯୋଗରେ ଏକ ଆର୍ଥିକ କାରବାର ପୂର୍ବରୁ ସନାତନ ଜେଲରେ ତିନିମାସ ରହି ବେଲରେ ଆସିଥିଲେ । ଶନିବାର ଥିଲା ଉକ୍ତ କେସ୍ ର ତାରିଖ । କୋର୍ଟରେ ତାରିଖ ସାରି ଉଭୟ ବାପ ପୁଅ ଘରକୁ ଫେରୁଥିବା ସମୟରେ ହାଟଡିହି ବ୍ଲକ୍ ନାହାଳିଆ ପୋଲ ନିକଟରେ ଜଗି ରହିଥିବା କିଛି ଦୃବୁତ୍ତ ଉଭୟ ବାପ ପୁଅଙ୍କୁ ମାଡ ମାରି ବାପା ନରେନ୍ଦ୍ରଙ୍କୁ ପକାଇଦେଇ ପୁଅକୁ ଅପହରଣ କରି ନେଇଥିବା ଅଭିଯୋଗ ହୋଇଛି ।
ଖବରପାଇ ନରେନ୍ଦ୍ରଙ୍କ ପରିବାର ଲୋକେ କିଛି ଗ୍ରାମବାସୀଙ୍କ ସହଯୋଗରେ ନରେନ୍ଦ୍ରଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଏନେଇ ନରେନ୍ଦ୍ରଙ୍କ ପତ୍ନୀ ପଦ୍ମାବତୀ ନାୟକ ନନ୍ଦିପଦା ଥାନାରେ ଅଭିଯୋଗ କରିଛନ୍ତି। ଅପହରଣ କାରୀ ଯୁବଜ ମାନେ ନରେନ୍ଦ୍ରଙ୍କ ଘରକୁ ଫୋନ କରି ୫ଲକ୍ଷ ଦେଲେ ଯାଇ ପୁଅକୁ ପାଇବ ନଚେତ ଜୀବନରୁ ମରିଦେବୁ ବୋଲି ଧମକ ଦେଇଛନ୍ତି।
Powered by Froala Editor