ଶ୍ରୀମନ୍ଦିରର ଉନ୍ନୟନ କାମ ପାଇଁ ରାଜ୍ୟ ସରକାର ମଞ୍ଜୁର କଲେ ୯ କୋଟି
ପୁରୀ ଶ୍ରୀମନ୍ଦିରର ବିଭିନ୍ନ ଉନ୍ନୟନମୂଳକ କାମ ପାଇଁ ରାଜ୍ୟ ସରକାର ଟଙ୍କା ମଞ୍ଜୁର କରିଛନ୍ତି । ୨୦୨୪-୨୫ରେ ପୁରୀ ଶ୍ରୀମନ୍ଦିର ପ୍ରଶାସନର ବିଭିନ୍ନ ଖର୍ଚ୍ଚ ବାବଦକୁ ରାଜ୍ୟ ସରକାର ମୋଟ ୯ କୋଟି ୩ ଲକ୍ଷ ୮୦ ହଜାର ଟଙ୍କା ମଞ୍ଜୁର କରିଛନ୍ତି । ଏବାବଦରେ ଆଇନ ବିଭାଗ ପକ୍ଷରୁ ଏଜିଙ୍କୁ ୨ଟି ଚିଠି ଯୋଗେ ଅବଗତ କରାଯାଇଛି । ଗୋଟିଏ ଚିଠିରେ ୬ କୋଟି ୬୭ ଲକ୍ଷ ୪୦ ହଜାର ଟଙ୍କା ମଞ୍ଜୁର ହୋଇଥିବା ଉଲ୍ଲେଖ ହୋଇଛି । ଅନ୍ୟ ଏକ ଚିଠିରେ ୨ କୋଟି ୩୬ ଲକ୍ଷ ୪୦ ହଜାର ଟଙ୍କା ମଞ୍ଜୁର ହୋଇଥିବା ଉଲ୍ଲେଖ ହୋଇଛି ।
ଶ୍ରୀମନ୍ଦିର ପ୍ରଶାସନ ଅଧୀନରେ କାର୍ଯ୍ୟରତ କର୍ମଚାରୀଙ୍କ ଦରମା ବାବଦରେ ୨.୫୭ କୋଟି ଟଙ୍କା ମଞ୍ଜୁର କରାଯାଇଛି । କୋଠ ଭୋଗ ଦାନ ନିମନ୍ତେ ୩୨ ଲକ୍ଷ ଟଙ୍କା ଗୃହୀତ ହୋଇଛି । ଶ୍ରୀମନ୍ଦିରର ବିଭିନ୍ନ ପର୍ବପର୍ବାଣୀରେ ବାବଦକୁ ୨ କୋଟି ୧୪ ଲକ୍ଷ ଟଙ୍କାର ଅନୁଦାନ ମିଳିଛି ।
ଶ୍ରୀମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କୁ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଆର୍ଥିକ ଅନୁଦାନ ମିଳିଥାଏ । ଏବାବଦରେ ୪ ଲକ୍ଷ ୮୦ ହଜାର ଟଙ୍କା ପ୍ରଦାନ କରାଯାଇଛି । ଏହି ଅର୍ଥରାଶି ଗଜପତି ମହାରାଜଙ୍କୁ ଦିଆଯିବ । ଶ୍ରୀମନ୍ଦିର କର୍ପସ ପାଣ୍ଠିକୁ ୨ କୋଟି ଟଙ୍କାର ଅନୁଦାନ ମିଳିଛି । ଶ୍ରୀମନ୍ଦିର ସହ ଜଡ଼ିତ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ପାଇଁ ୨୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଶ୍ରୀମନ୍ଦିରରେ ବିଭିନ୍ନ ସେବାୟତଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱାସ୍ଥ୍ୟ ବୀମା ପ୍ରଦାନ କରାଯାଉଛି । ଏ ବାବଦରେ ୬ ଲକ୍ଷ ଟଙ୍କା ଗୃହୀତ ହୋଇଛି । ଏହା ସହ ଇଂରାଜୀ ମାଧ୍ୟମ ଆବାସିକ ବିଦ୍ୟାଳୟ ସ୍ଥାପନ ପାଇଁ ୬ ଲକ୍ଷ ୪୦ ହଜାର ଟଙ୍କା ଦିଆଯାଇଛି । ଆର୍ଥିକ ଅନୁନ୍ନତ ସେବାୟତ ପରିବାରଙ୍କୁ ଗୃହ ଯୋଗାଇବାକୁ ବର୍ଷ ୨୦୨୪-୨୫ ପାଇଁ ୪ ଲକ୍ଷ ଟଙ୍କା ଗୃହୀତ ହୋଇଛି । ଶ୍ରୀମନ୍ଦିର ପ୍ରଶାସନର ଅନ୍ୟାନ୍ୟ ଖର୍ଚ୍ଚ ବାବଦରେ ୧ କୋଟି ୨ ଲକ୍ଷ ମଞ୍ଜୁର ହୋଇଛି । ଦଇତାପତିମାନଙ୍କର କ୍ଷତି ଭରଣା ନିମନ୍ତେ ୫୭ ଲକ୍ଷ ୬୦ ହଜାର ଟଙ୍କା ଗୃହୀତ ହୋଇଛି ।
Powered by Froala Editor