ଟିକାକେନ୍ଦ୍ରରେ ରହୁ ଜଗନ୍ନାଥଙ୍କ ଫଟୋ : ସୌମ୍ୟରଂଜନ

ଭୁବନେଶ୍ୱର : ଟିକା କେନ୍ଦ୍ରରେ ଫଟୋକୁ ନେଇ ଏବେ ରାଜନୀତି ଜୋର ଧରିଛି । ବିଜେପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ଲାଗୁନଥିବାରୁ ବିକ୍ଷୋଭ କରୁଥିବାବେଳେ ଟିକାଦାନ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ଲାଗୁଥିବା ଦେଖିବାକୁ ମିଳୁଛି । ପ୍ରଥମେ ବିଜେପିର ତୃଣମୂଳସ୍ତରର କାର୍ଯ୍ୟକର୍ତା ଏହାକୁ ପ୍ରସଙ୍ଗ କରିଥିବାବେଳେ ବିଜେପିର ବରିଷ୍ଠ ନେତାମାନେ ମଧ୍ୟ ଏଭଳି ଦାବି କରୁଛନ୍ତି । ଏହାକୁ ନେଇ ବିଜେପି ଓ ବିଜେଡ଼ି ମୁହାଁମୁହିଁ ବି ହୋଇଛନ୍ତି । ତେବେ ଟିକାକେନ୍ଦ୍ରରେ ଜଗନ୍ନାଥଙ୍କ ଫଟୋ ରହୁ ବୋଲି ବିଜେଡ଼ି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି । ଶ୍ରୀ ପଟ୍ଟନାୟକ କହିଛନ୍ତିଯେ, ଫଟୋ ପାଇଁ ସମସ୍ତେ ବ୍ୟାକୁଳ । ଫଟୋ ଲଗାଯିବାକୁ ନେଇ ବିବାଦ କରିବା ଉଚିତ ନୁହେଁ । ଏହି ପ୍ରସଙ୍ଗକୁ ଗୁରୁତ୍ୱ ନଦିଆଯାଉ । ବରଂ ଜଗନ୍ନାଥଙ୍କ ଫଟୋ ଲଗାଇ ଟିକା ନେଲେ ଓଡ଼ିଶାରେ ନୂଆ ପରମ୍ପରା ସୃଷ୍ଟି ହୋଇପାରିବ ବୋଲି ସେ କହିଛନ୍ତି । ଟିକାଦାନ କେନ୍ଦ୍ରରେ ଫଟୋକୁ ନେଇ ହୋହାଲ୍ଲା ହେଉଥିବା ଦେଖିବାକୁ ମିଳୁଛି । ବିଜେପି କର୍ମୀମାନେ ନବୀନଙ୍କ ଫଟୋ ଚିରି ପ୍ରତିବାଦ ବି କରୁଛନ୍ତି । ମୋଦିଙ୍କ ଫଟୋ କାହିଁକି ଲାଗୁନାହିଁ ବୋଲି ପ୍ରଶ୍ନ ବି କରିଛନ୍ତି । ଏମିତିକି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହି ପ୍ରସଙ୍ଗରେ ଟ୍ୱିଟ କରି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିବାବେଳେ ବିଜେଡ଼ି ସାଂସଦ ସସ୍ମିତ ପାତ୍ର ବି କଡ଼ା ଜବାବ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥାଇ ସଚେତନତା ବାର୍ତା ଦିଆଯାଉଥିବାବେଳେ ବିଜେପି ହୀନ ରାଜନୀତି କରୁଛି ବୋଲି ସେ କହିଛନ୍ତି ।
Powered by Froala Editor