ଫାଣ୍ଡିରୁ ଚମ୍ପଟ ମାରିଲା ହତ୍ୟା ଅଭିଯୁକ୍ତ
ପତ୍ନୀ ହତ୍ୟା ଅଭିଯୋଗରେ ଥାନାରେ ଥିବା ସ୍ୱାମୀ ବ୍ରହ୍ମପୁର ଏମ୍କେସିଜି ଫାଣ୍ଡିରୁ ଚମ୍ପଟ ମାରିଛି । ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅଞ୍ଚଳର ରାଣୀ ମହାରଣା (୨୨)ଙ୍କ ହତ୍ୟା ମାମଲାରେ ସ୍ୱାମୀ ଲକ୍ଷ୍ମୀ ମହାରଣା ଫାଣ୍ଡିରେ ଥିଲା । କିନ୍ତୁ କୌଶଳକ୍ରମେ ସେ ଚମ୍ପଟ ମାରିଛି ।
ସୂଚନାଯୋଗ୍ୟ ଯେ, ଗୋପାଳପୁର ଥାନା ଅଧୀନ ଆରୁଆପୁଲ୍ଲୀ ଗ୍ରାମର ରାଣୀଙ୍କ ସହ ଜଗନ୍ନାଥପୁରର ଲକ୍ଷ୍ମୀଙ୍କ ବିବାହ ହୋଇଥିଲା । ପରେ ରାଣୀଙ୍କୁ ସ୍ୱାମୀ ଓ ଶାଶୂ ଘର ଲୋକ ଯୌତୁକ ପାଇଁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ । ସୋମବାର ମଧ୍ୟାହ୍ଣରେ ଲକ୍ଷ୍ମୀ ପତ୍ନୀ ରାଣୀଙ୍କ ବାପଘର ଲୋକଙ୍କୁ ଫୋନ୍ କରି ଝିଅ ଆତ୍ମହତ୍ୟା କରିଥିବା ଜଣାଇଥିଲେ । ବାପଘର ଲୋକ ଆସି ପରିସ୍ଥିତି ଦେଖିବା ପରେ ତାଙ୍କ ଝିଅ (ରାଣୀ)ଙ୍କୁ ହତ୍ୟା କରାଯାଇଥିବା ଗୋଳନ୍ଥରା ଥାନାରେ ଅଭିଯୋଗ କରିଥିଲେ । ଲକ୍ଷ୍ମୀଙ୍କ ମୁଣ୍ଡକୁ ଶକ୍ତ ଆଘାତ ଦିଆଯାଇଥିବା ଏବଂ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବା ମୃତ ରାଣୀଙ୍କ ଭାଇ କହିଛନ୍ତି । ପୁଲିସ ପରିବାର ଲୋକଙ୍କ ସହ ରାଣୀଙ୍କୁ ଏମ୍କେସିଜି ପଠାଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିବା ପରେ ଗୋଳନ୍ଥରା ଥାନା ପୁଲିସ ଏମ୍କେସିଜିରେ ପହଞ୍ଚିଥିଲା ।
ରାଣୀଙ୍କ ବାପଘର ଲୋକଙ୍କ ଅଭିଯୋଗକ୍ରମେ ରାଣୀଙ୍କ ସ୍ୱାମୀକୁ ଏମ୍କେସିଜି ଫାଣ୍ଡିରେ ରଖାଯାଇଥିଲା । କିନ୍ତୁ ମଙ୍ଗଳବାର ସକାଳୁ ଅଭିଯୁକ୍ତ ପୁଲିସ ହେପାଜତରେ ନ ଥିବା ଜାଣିବାକୁ ମିଳିଥିଲା । ଗୋଳନ୍ଥରା ଥାନା ପୁଲିସ ବ୍ରହ୍ମପୁର ଏମ୍କେସିଜି ଫାଣ୍ଡିକୁ ଗଲା ବେଳେ କେହି ଅଭିଯୁକ୍ତ ସେଠାରେ ନ ଥିବା ଜାଣିବାକୁ ପାଇଥିଲେ । ପ୍ରତିବାଦରେ ରାଣୀଙ୍କ ବାପଘର ଲୋକେ ମଙ୍ଗଳବାର ବ୍ୟବଚ୍ଛେଦ ପରେ ଶବକୁ ଆଣି ଗୋଳନ୍ଥରା ଥାନା ସମ୍ମୁଖରେ ରଖି ବିରୋଧ ପ୍ରଦର୍ଶନ କରିଥିଲେ ।
Powered by Froala Editor