ଗଞ୍ଜାମର ୨ ବ୍ଲକ, ୮ ସହର କରୋନା ମୁକ୍ତ
ବ୍ରହ୍ମପୁର : କରୋନାର ଦ୍ବିତୀୟ ଲହର ସମ୍ପ୍ରତି ଗଞ୍ଜାମ ଜିଲାରେ ନିୟନ୍ତ୍ରଣକୁ ଆସିଲାଣି। ଜିଲାରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଭାବେ ହ୍ରାସ ପାଉଥିବା ବେଳେ ସୁସ୍ଥଙ୍କ ସଂଖ୍ୟା ବି ସମ ଗତିରେ ବୃଦ୍ଧି ପାଉଛି। ଅନେକ ବ୍ଲକରେ କେହି ଜଣେ ହେଲେ ଆକ୍ରାନ୍ତ ଚିକିତ୍ସିତ ହେଉନାହାନ୍ତି। ଜିଲାର ୨୨ଟି ବ୍ଲକ ମଧ୍ୟରୁ ୨ଟି ବ୍ଲକ ସମ୍ପୂର୍ଣ୍ଣ କରୋନା ମୁକ୍ତ ହୋଇଯାଇଛି। ସେହି ବ୍ଲକ ଦ୍ବୟ ହେଲା ଭଞ୍ଜନଗର ଏବଂ ଶେରଗଡ଼। ଉଭୟ ବ୍ଲକରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ଶୂନ ରହିଛି। କେବଳ ଗ୍ରାମାଞ୍ଚଳ ନୁହଁ, ସହରାଞ୍ଚଳରେ ମଧ୍ୟ ସ୍ଥିତି ସୁଧୁରିବାରେ ଲାଗିଛି। ଜିଲାରେ ବ୍ରହ୍ମପୁର ସମେତ ମୋଟ ୧୮ଟି ସହରାଞ୍ଚଳ ରହିଛି। ସେଥିରୁ ୮ଟି ସହରରେ କେହି ଚିକିତ୍ସାଧୀନ ଆକ୍ରାନ୍ତ ନାହାନ୍ତି। ସେହି ସହରଗୁଡ଼ିକ ହେଲା ଆସିକା, ବେଲଗୁଣ୍ଠା, ଦିଗପହଣ୍ଡି, ଗଞ୍ଜାମ, ଗୋପାଳପୁର, ହିଞ୍ଜିଳିକାଟୁ, ପୁରୁଷୋତ୍ତମପୁର ଏବଂ ରମ୍ଭା। ଏହି ସହରଗୁଡ଼ିକଆଉ ଲାଲ୍ ବଳୟ ଭିତରେ ମଧ୍ୟ ନାହିଁ।
ଜିଲା ପ୍ରଶାସନ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ଜିଲାର ୨୨ଟି ବ୍ଲକର ୫୦୩ଟି ପଞ୍ଚାୟତରେ ୩ହଜାର ୧୫୫ଟି ଗାଁ ରହିଛି। ଏଥିରୁ ମାତ୍ର ୧୦୧ଟି ଗ୍ରାମ ଲାଲ୍ ବଳୟରେ ରହିଛି।
Powered by Froala Editor